ଭିସୁଟରେ ଗଣ୍ଡଗୋଳ: ମାତିଲେ ସିକ୍ୟୁରିଟ୍ ଗାର୍ଡ, ପିଟିଲେ

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ ଭିସୁଟରେ ଗଣ୍ଡଗୋଳ  । ଏଥର କିନ୍ତୁ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ନୁହଁ ବରଂ ଭୀସୁଟରେ ନିୟୋଜିତ ସୁରକ୍ଷାସଂସ୍ଥାର ସୁରକ୍ଷକର୍ମୀଙ୍କ ଦ୍ୱାରା ହୋଇଛି ଗଣ୍ଡଗୋଳ । ଭିସୁଟରେ ନିୟୋଜିତ ହୋଇଥିବା ସୁରକ୍ଷକର୍ମୀଙ୍କ ଆକ୍ରମଣରେ ସେହି ସଂସ୍ଥାର ସିକ୍ୟୁରିଟି ଅଫିସର ଗୁରୁତର ହୋଇଛନ୍ତି । ସିକ୍ୟୁରିଟି ଅଫିସର ଜଣଙ୍କ ହେଲେ ଭାରତୀୟ ସେନାର ଜଣେ ପୂର୍ବତନ ସୈନିକ ସୁରେଶ ଲାମା ।

ସିକ୍ୟୁରିଟି ସଂସ୍ଥାର ଓଡିଶା ଶାଖା ପରିଚାଳକ ଗତକାଲି ବୁର୍ଲା ଭିସୁଟ ପରିଦର୍ଶନ ପାଇଁ ଆସିଥିଲେ । ଏହି ସମୟରେ ସୁରେଶ ତାଙ୍କ ସହିତ ଥିଲେ । ସେଠାରେ କାର୍ଯ୍ୟରତ ପ୍ରାୟ ୨୦ରୁ ୨୫ ଜଣ ସିକ୍ୟୁରିଟି ଗାର୍ଡ ପହଞ୍ଚି କୌଣସି ଆଲୋଚନା ନକରି ଶାଖା ପରିଚାଳକଙ୍କ ଡ୍ରାଇଭରକୁ ମାଡ଼ ମାରିଥିଲେ । ସୁରେଶ ସେମାନଙ୍କୁ ବାରଣ କରିବାରୁ ସିକ୍ୟୁରିଟି ଗାର୍ଡ ସୁରେଶକୁ ନିସ୍ତୁକ ପିଟିଥିଲେ । ଆକ୍ରମଣରେ ସୁରେଶ ଗୁରୁତର ହୋଇଥିଲେ ମଧ୍ୟ କୌଶଳକ୍ରମେ ଭିସୁଟରୁ ଆସି ବୁର୍ଲା ଭୀମସାରରେ ଚିକିତ୍ସିତ ହୋଇଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ସୁରେଶ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସିକ୍ୟୁରିଟି ଗାର୍ଡମାନେ ନିୟମିତ ଡ୍ୟୁଟି ନ କରୁଥିବାରୁ ସେମାନଙ୍କ ଦରମା କାଟି ଦିଆଯାଇଥିଲା । ଯାହାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସୁରେଶ କହିଛନ୍ତି ।