ହିମାଚଳ ପ୍ରଦେଶ ସିମଳାରେ ସଞ୍ଜୌଲି ମସଜିଦ ଟେନସନ, ଥମିବାର ନାଁ ନେଉନି ଆନ୍ଦୋଳନ

1 min read

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶ ସିମଳାରେ ସଞ୍ଜୌଲି ମସଜିଦ ଟେନସନ। ବେଆଇନ ନିର୍ମାଣଙ୍କୁ ଭାଙ୍ଗିବା ଲାଗି ମସଜିଦ କମିଟିର ସ୍ବୀକୃତି ସତ୍ତ୍ବେ ଥମିବାର ନାଁ ନେଉନି ଆନ୍ଦୋଳନ। ଆଜି ସିମଳା, ମଣ୍ଡି ଓ କୁଲ୍ଲୁରେ ଉତ୍ତେଜନା ପ୍ରକାଶ ପାଇଛି। କୁଲ୍ଲୁ ଓ ମଣ୍ଡିରେ ବନ୍ଦ ପାଳନ କରାଯାଇଛି। ସିମଳାରେ ଏକ ଗୋଷ୍ଠୀର ଲୋକ ଧାରଣା ଦେଇଛନ୍ତି। ଗତକାଲି ବି ମଣ୍ଡିରେ ଏହି ପ୍ରସଙ୍ଗକୁ ନେଇ ଶହ ଶହ ଲୋକ କରିଥିଲେ ବିକ୍ଷୋଭ। ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପାଣି ମାଡ କରିଥିଲା। ମସଜିଦର କିଛି ଅଂଶ ଭାଙ୍ଗିବାକୁ ଆମକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ମସଜିଦର ଇମାମ ଶେହଜାଦ। ସେପଟେ ଇମାମଙ୍କ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଦେବ ଭୂମି ସଂଘର୍ଷ କମିଟି। ଏହି ମସଜିଦ ୫ ମହଲା ବିଶିଷ୍ଟ ହୋଇଥିବାବେଳେ ଗତ ମାସରେ ସେଠାରେ ରହୁଥିବା କିଛି ଲୋକଙ୍କୁ ନେଇ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା।ମସଜିଦର ଇମାମ ଶେହଜାଦ କହିଛନ୍ତି- ୧୯୪୭ରେ ଏହି ମସଜିଦ ନିର୍ମିତ ହୋଇଥିଲା ଏବଂ ୨୦୦୭ରେ ଏହାକୁ ପରିବର୍ଦ୍ଧିତ କରାଯାଇଥିଲା। ଏହାକୁ ନେଇ ୨୦୧୦ରେ ଏକ ମକଦ୍ଦମା ଦାୟର ହୋଇଥିଲା। ମାତ୍ର ପରେ ଗତ ୧୪ ବର୍ଷ ମଧ୍ଯରେ ଆଉ ୪ଟି ମହଲା ନିର୍ମାଣ କରାଯାଇଥିଲା। ଗତ ଅଗଷ୍ଟ ୩୦ରେ ମାଲ୍ଯାନ ଇଲାକାରେ ସଂଖ୍ଯାଲଘୁ ବର୍ଗର କିଛି ଲୋକ ଜଣେ ବ୍ଯବସାୟୀ ଯଶପାଲ ସିଂଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ବିବାଦ କ୍ରମଶଃ ମସଜିଦର ବେଆଇନ ନିର୍ମାଣ ପ୍ରସଙ୍ଗକୁ ନେଇ କେନ୍ଦ୍ରୀଭୂତ ହୋଇଥିଲା ଏବଂ ବେଆଇନ ନିର୍ମାଣ ଭାଙ୍ଗିବାକୁ ଦାବି ହୋଇଥିଲା।