ରାତି ସାଢ଼େ ୮ଟାରୁ ବନ୍ଦ ହେଲା ସାଧାରଣ ଦର୍ଶନ: ଶ୍ରୀମନ୍ଦିର ସାମ୍ନାରେ ଚାପା ଉତ୍ତେଜନା

ପୁରୀ: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ଆସନ୍ତା ସୋମବାରଠୁ ଶ୍ରୀମନ୍ଦିରରେ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ସେହିପରି ରବିବାର ସାନିଟାଇଜେସନ ପାଇଁ ସାଧାରଣ ବନ୍ଦ ହେବାକୁ ଥିବାରୁ ଆଜି ଶ୍ରୀମନ୍ଦିରରେ ଲାଗିଥିଲା ପ୍ରବଳ ଗହଳି ଚହଳି । ଦିନ ସାରା ୭ ଲକ୍ଷ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ରାତି ୮:୩୦ରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିବା ବେଳେ, ମନ୍ଦିର ବାହାରେ ଦର୍ଶନ ଅପେକ୍ଷାରେ ହଜାର ହଜାର ଶ୍ରଦ୍ଧାଳୁ ଦେଖିବାକୁ ମିଳିଛି । ଏନେଇ ମନ୍ଦିର ବାହାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ, ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଛି ।

ସୂଚନା ଯୋଗ୍ୟ ଯେ, ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ  । ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ରୋକ ଲାଗିଛି ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର  । ଶୁକ୍ରବାର ଛତିଶାନିଯୋଗ ବୈଠକ ବସିଥିବାବେଳେ, ଏ ସଂକ୍ରାନ୍ତରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା । ସେବାୟତଙ୍କ ପ୍ରସ୍ତାବକ୍ରମେ ଜାନୁୟାରୀ ୩୧ଯାଏ ଜଗା ଦର୍ଶନ ବନ୍ଦ ରହିବ  ।

ଭର୍ଚୁଆଲ ମୋଡରେ ଏହି ବୈଠକ ଆହୁତ ହୋଇଥିଲା  । ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରାଜ୍ୟରେ କୋଭିଡ ସଂକ୍ରମଣ ମାମଲା ଦୈନିକ ବୃଦ୍ଧି ଘଟୁଥିବାବେଳେ ଓମିକ୍ରନ କେସ ମଧ୍ୟ ବଢି ଚାଲିଛି  । ଏଥିସହିତ ପ୍ରତିଦିନ ଶ୍ରୀମନ୍ଦିରକୁ ଅନ୍ୟ ରାଜ୍ୟରୁ ଶ୍ରଦ୍ଧାଳୁ ଆସୁଥିବା ବେଳେ କୌଣସି ନିର୍ଦ୍ଦେଶାବଳୀ ନଥିଲା  । ତେବେ ଏପରି ସ୍ଥିତିରେ କୋଭିଡ ସଂକ୍ରଣ ମାମଲା ବୃଦ୍ଧି ଘଟୁଛି  । ତେଣୁ ସମସ୍ତ କଥାକୁ ବିଚାରକୁ ନେଇ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ମନ୍ଦିର ବନ୍ଦ ହେବାକୁ ଥିବା ଜଗା ଦର୍ଶନ ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।

Leave a Reply