କଟକରେ ୩୬ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ
1 min read
କଟକ : କଟକରେ ୩୬ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ। ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ, ବିଡ଼ାନାସୀ, ମର୍କତନଗର, ଲାଲବାଗ, ସିଡିଏ ଫେଜ-୨, ସଦର ଥାନା, ମାଲଗୋଦାମ, ଜଗତପୁର, ବାଦାମବାଡ଼ି ଓ ବୟାଳିଶମୌଜା ଥାନା ଅଞ୍ଚଳରେ ଲାଗୁ ହୋଇଛି କର୍ଫ୍ୟୁ। କିନ୍ତୁ ସ୍ବାସ୍ଥ୍ୟସେବା, ପରିମଳ ସେବା ଭଳି ଜରୁରୀ ସେବା ଉପରେ କର୍ଫ୍ୟୁ ଲାଗୁ ହେବ ନାହିଁ। ରବିବାର ସନ୍ଧ୍ୟାରେ କଟକରେ ଯେଭଳି ହିଂସାକାଣ୍ଡ ଘଟିଲା, ସେଥିରେ ୮ ଜଣ ପୋଲିସଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଛନ୍ତି। ଏହାସହିତ ଏହି ହିଂସା ସାଂପ୍ରଦାୟିକ ହିଂସାର ରୂପ ନେଇପାରେ । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ କଟକ ସହରରେ ସୋସିଆଲ ମିଡିଆ ଉପରେ ୨୪ ଘଣ୍ଟା ପାଇଁ ବ୍ୟାନ ଲଗାଯାଇଛି । ପୋଲିସ କମିଶନର କହିଛନ୍ତି, ଭସାଣ ବେଳେ ବ୍ୟକ୍ତିଗତ କାରଣ ପାଇଁ ଗଣ୍ଡଗୋଳ ହୋଇଥିଲା । ଏଥିରେ ୪ ଜଣ ଆହତ ହୋଇଥିଲେ । ଗଣ୍ଡଗୋଳ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଏହାକୁ ଆଳ କରି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବାଇକ ରାଲି କରିବାକୁ ଅନୁମତି ମଗାଯାଇଥିଲା । କିନ୍ତୁ ରାଲି କରିବାକୁ ପୋଲିସ ଅନୁମତି ଦେଇନଥିଲା । ପୋଲିସର ବାରଣ ସତ୍ତ୍ବେ ଗୋଟିଏ ଗୋଷ୍ଠୀ ବାଇକ ରାଲି କରି ସମ୍ବେଦନଶୀଳ ଅଞ୍ଚଳକୁ ଧସେଇ ପଶିଥିଲେ । ବିଶ୍ବ ହିନ୍ଦୁ ପରିଷଦର ଏହି ରାଲିକୁ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ସେମାନେ ମାନି ନଥିଲେ । ଓଲଟି ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ଫଳରେ ପୋଲିସ କର୍ମଚାରୀ ଓ ଅଧିକାରୀ ଆହତ ହୋଇଥିଲେ । ଏହାସହ ଉପଦ୍ରବକାରୀ ସେମାନେ ବିଭିନ୍ନ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ରାସ୍ତାରେ ଥିବା ଗାଡ଼ି ଓ ଷ୍ଟଲଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ରବର ବୁଲେଟ ଫାୟାରିଂ କରିବା ସହ ଟିୟର ଗ୍ୟାସ ପ୍ରୟୋଗ କରିଥିଲା। ତଥାପି ଉପଦ୍ରବକାରୀମାନେ ହିଂସା ଜାରି ରଖିଥିଲେ । ଅନ୍ୟ ଉପାୟ ନ ପାଇ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତଥାପି ପୋଲିସ ହିଂସାକାଣ୍ଡ ଭିଆଇଥିବା ଗୋଷ୍ଠୀଙ୍କ ଉପରେ କଡ଼ା ନଜର ରଖିଛି । ଯେଉଁମାନେ ହିଂସା ଘଟାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରିଛି। ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ଆଜି ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ।ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି। ଅନ୍ୟପଟେ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ଶାନ୍ତି ପ୍ରତିଷ୍ଠା ଲାଗି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।