ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ବିରାଟଙ୍କ ଫର୍ମକୁ ନେଇ ବଢ଼ୁଛି ଟେନସନ

ଚଳିତ ଚାମ୍ପିୟନ୍ସ ଟ୍ରଫିରେ ବିଜୟରୁ ଟିମ୍ ଇଣ୍ଡିଆ ତା’ର ଯାତ୍ରା ଆରମ୍ଭ କରିଛି । ନିଜର ପ୍ରଥମ ମ୍ୟାଚରେ ଭାରତ ପ୍ରତିପକ୍ଷ ବାଂଲାଦେଶ ବିପକ୍ଷରେ ଶାନଦାର ବିଜୟ ହାସଲ କରିଛି । ଶୁବମନ ଗିଲଙ୍କ ଅପରାଜିତ ଶତକୀୟ ଇନିଂସ ଓ ମହମ୍ମଦ ଶାମୀଙ୍କ ୫ଟି ଓ୍ବିକେଟ ବଳରେ ଭାରତ ଏହି ମ୍ୟାଚକୁ ୬ ଓ୍ବିକେଟରେ ଜିତି ନେଇଛି । ତେବେ ପରବର୍ତ୍ତୀ ମ୍ୟାଚରେ ଭାରତ ତା’ର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଆସନ୍ତା ୨୩ ତାରିଖ ଦିନ ହେବାକୁ ଥିବା ମହାମୁକାବିଲା ପାଇଁ ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀ ବେଶ୍ ଉତ୍ସୁକତାର ସହିତ  ଚାହିଁ ରହିଛନ୍ତି ।

ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହିଲଙ୍କ ଉପରେ ସଭିଙ୍କ ନଜର ରହିଛି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବିରାଟ ୩୮ଟି ବଲରେ ଗୋଟିଏ ଚୌକା ସହାୟତାରେ ୨୨ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ । ଉକ୍ତ ମ୍ୟାଚରେ ରୋହିତ ଶର୍ମା ଓ କେଏଲ ରାହୁଲ ସଠିକ୍ ଲୟରେ ଥିବା ଦେଖିବାକୁ ମିଳିଥିଲା । ମାତ୍ର ବିରାଟଙ୍କ ଫର୍ମ ଏବେ ସଭିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ପାକିସ୍ତାନ ବିପକ୍ଷରେ ବିରାଟ କିପରି ପ୍ରଦର୍ଶନ କରିବେ ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହା ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବିରାଟଙ୍କ ଫର୍ମକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବିରାଟ ଜଣେ ମହାନ ଖେଳାଳି, ସେ ନିଜ ଉପରେ କାମ କରିବେ । ଟେକନିକ ଦୃଷ୍ଟିରୁ ବିରାଟ ନିଜର ବ୍ୟାଟିରେ ଉନ୍ନତ ଆଣିପାରନ୍ତି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷରେ ବିରାଟ ଉଚ୍ଚକୋଟୀର ପ୍ରଦର୍ଶନ କରନ୍ତୁ ବୋଲି ଭାରତୀୟ କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି ।