ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନ ମଧ୍ୟରେ ବିବାଦ: ବଢ଼ିଲା ଭାରତର ଚିନ୍ତା
1 min read
ଦକ୍ଷିଣ ଏସିଆରେ ଆକ୍ରମଣ ନେଇ ଦୁଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ମତପାର୍ଥକ୍ୟ । ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନ ମଧ୍ୟରେ ଏନେଇ ବିବାଦ ସୃଷ୍ଟି ହୋଇଛି । ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ଅଞ୍ଚଳ ଦେଇ ଜୈସ ସଂଗଠନ କର୍ମୀମାନଙ୍କୁ ପ୍ରବେଶ କରାଇବା ଲାଗି ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଆଦର୍ଶଗତ କାରଣରୁ ଦୁଇ ସଂଗଠନ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହୋଇଥିବା କୁହାଯାଇଛି । ଦୁଇ ସଂଗଠନ ମଧ୍ୟରେ ବୁଝାମଣା ଲାଗି ପାକିସ୍ତାନ ଉଦ୍ୟମ କରିଥିଲେ ବି ତାହା ବିଫଳ ହୋଇଛି । ସେପଟେ ଗତ କିଛି ମାସରେ ଭାରତକୁ ବହୁ ସଂଖ୍ୟକ ଜୈସ ଆତଙ୍କୀ ପ୍ରବେଶ କରିଛନ୍ତି ବୋଲି ସୂଚନା ମିଳିଛି । ଜୈସ ସଂଗଠନ ସୁନ୍ନୀ ଇସଲାମପନ୍ଥୀ ହୋଇଥିବାବେଳେ ଏହା ଦେଓବନ୍ଦୀ ବିଶ୍ବାସୀ । ସେପଟେ ଲସ୍କର ସଂଗଠନ ହେଉଛି ଶାହ ଓ୍ବାଲିହୁଲ୍ଲା ଦେହଲାବିଙ୍କ ଆଦର୍ଶରେ ଅନୁପ୍ରାଣୀତ ଆହ୍ଲ-ଇ-ହାଦିଥ ଅନୁଗାମୀ । ଦୁଇ ସଂଗଠନ ମଧ୍ୟରେ ଲଢେଇ ଯୋଗୁ ପାକିସ୍ତାନରେ ହତ୍ୟା ଘଟଣା ବୃଦ୍ଧି ପାଇଛି ।
ଗତ ୩୦ ତାରିଖରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ହାଫିଜ ସୟିଦଙ୍କ ସମ୍ପର୍କୀୟ ତଥା ଆତଙ୍କବାଦୀ ସଂଗଠନକୁ ପାଣ୍ଠି ପ୍ରଦାନ କରୁଥିବା କାରି ଅବଦୁ ରେହମାନକୁ ଏହି କାରଣରୁ କରାଚୀରେ ଗୁଳି କରି ହତ୍ୟା କରାଯାଇଥିଲା । ଜାମ୍ମୁ ଓ କାଶ୍ମୀରର କାଠୁଆରେ ବହୁ ସଂଖ୍ୟକ ଜୈସ ସଂଗଠନ କର୍ମୀ ପ୍ରବେଶ କରିଥିବାରୁ ଭାରତର ଚିନ୍ତା ବଢିଛି । ଏପରିକି ଆତଙ୍କୀଙ୍କଠାରୁ ଜବତ ଅସ୍ତ୍ରଶସ୍ତ୍ର ନାଟୋ ରାଷ୍ଟ୍ରର ଓ ଚୀନର ହୋଇଥିବାରୁ ଏହାକୁ ନେଇ ବଢିଛି ଚିନ୍ତା । ନିରାପତ୍ତା କାରଣରୁ ପ୍ରକୃତ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେଖାରେ ଗୁଇନ୍ଦା ସତର୍କତାକୁ ବଢାଇ ଦିଆଯାଇଛି । ସେପଟେ ଜାମ୍ମୁ ଓ କାଶ୍ମୀର କାଠୁଆରେ ଜାରି ରହିଛି ସର୍ଚ୍ଚ ଅପରେସନ।