ଉପନିର୍ବାଚନ ବେଳେ ଉତ୍ତେଜନା, ୧୭ ନମ୍ବର ବୁଥ୍‌ରେ ମତଦାନ ବନ୍ଦ

ଧାମନଗର: ଉପନିର୍ବାଚନ ବେଳେ ଦେଖାଦେଇଛି ଅପ୍ରିତିକର ପରିସ୍ଥିତି  । ଖପରପଦା ୧୭ ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି  । ଭୋଟରଙ୍କ ପାଇଁ ଅନ୍ୟ ଜଣେ ମତଦାନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି  । ଏହି ସମୟରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ ପେଲାଠେଲା ହୋଇଛି  । ଫଳରେ ୧୭ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି  ।  ଘଟଣାସ୍ଥଳରେ ପୋଲିସ ଓ ପ୍ରିଜାଇଡିଂ ଅଫିସର ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି  ।

ଧାମନଗର ନିର୍ବାଚନ ମଣ୍ଡଳୀ ୧୨ନଂ ଜୋନ ଅସୁରାଳି ରଇପୁର ପଞ୍ଚାୟତ ମତଦାନ କେନ୍ଦ୍ରରେ ଗଣ୍ଡଗୋଳ । ଏଠାରେ ମୋଟ ୬ଟି ବୁଥ ହୋଇଥିବା ବେଳେ, ରଇପୁର ବୁଥ ନମ୍ବର ୨୪୩ରେ ବିଜେପି ବିଜେଡି ମଧ୍ୟରେ ଗଣ୍ଡଗୋଳ ହୋଇଛି । ବୁଥ ଭିତରକୁ ବିଜେପି କର୍ମୀ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ସେହିପରି ଭୋଟ ଦେବାକୁ ଭୋଟରଙ୍କୁ କାନରେ କହିବାରୁ ଗାଁ ଭିତରେ ବିଜେଡି ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ପହଞ୍ଚିଛି ପୋଲିସ ।

ସେହିପରି କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ହେଲେ ଏବେ ସୁରୁଖୁରୁରେ ଚାଲିଛି ଭୋଟିଂ । କାଁପଡା ୭୫ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରେ ବିଳମ୍ଭରେ ଆରମ୍ଭ ହୋଇଛି ଭୋଟିଂ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନରେ ଥିବା ବେଳେ, ଧାମନଗରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ, ସେନେଇ ରହିଛି ଉତ୍କଣ୍ଠା । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାରରୁ ଅଧିକ ଭୋଟର ମତଦାନ କରିବେ ।

ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ ଜଣ ପୋଲିଂ କର୍ମଚାରୀଙ୍କ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ଆସନ୍ତା ୬ ତାରିଖରେ ଭୋଟଗଣତି ହେବ ।