ମହାଦେବଙ୍କୁ ଦେଖା କରିବା ଇଚ୍ଛା ଅଧାରେ ରହିଲା; କରେଣ୍ଟ ଲାଗି ଚାଲିଗଲା ୧୦ ବୋଲବମ ଭକ୍ତଙ୍କ ଜୀବନ

କୋଲକାତା: ଅଧାରେ ରହିଗଲା ଦେବ ଦେବ ମହାଦେବଙ୍କୁ ଜଳଲାଗି । ଜେନେଟରରୁ ସର୍ଟ ସର୍କିଟ ଯୋଗୁଁ ୧୦ ବୋଲବମ ଭକ୍ତଙ୍କ ମୃତ୍ୟୁ । ୧୬ରୁ ଅଧିକ କାଉଡ଼ିଆ ଗୁରୁତର ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗର କୋଚ ବିହାରରେ ଘଟିଛି ଏହି ଅଘଟଣ । ଶୀତଳ କୁଚିଠାରୁ ଜଳେଶ୍ବର ମହାଦେବଙ୍କ ପାଖକୁ ଆସୁଥିବା ବେଳେ ଘଟିଛି ଏହି ଅଘଟଣ । ଶ୍ରାବଣ ମାସ ପାଇଁ ଜଳଲାଗି ପାଇଁ ପିକ ଅପ୍ ଭ୍ୟାନରେ ଆସୁଥିଲେ କାଉଡ଼ିଆ ।

ଟେଙ୍ଗଡା ବାନ୍ଧା ସେତୁରେ ଜେନେରେଟରରୁ ସର୍ଟ ସର୍କିଟ ଫଳରେ ପିକଅପ୍ ଭ୍ୟାନ ସଂଶ୍ପର୍ଶରେ ଆସିଥିଲା । ବିଦ୍ୟୁତ୍ ଆଘାତରେ ଆସି ୧୦ କାଉଡ଼ିଆଙ୍କ ଜୀବନ ଯାଇଥିବା ବେଳେ ଆଉ ୧୬ରୁ ଉର୍ଦ୍ଧ୍ବ କାଉଡ଼ିଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୋଲିସ କହିଛି ଯେ, ଗାଡିରେ ଲାଗିଥିବା ଡିଜେ ସିଷ୍ଟମର ଜେନେରେଟରରେ ସର୍ଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଛି ।

ସମସ୍ତ ଆହତଙ୍କୁ ଜଲପାଇଗୁଡି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ ୨୭ ଜଣ କାଉଡିଆ ଏହି ପିକ ଅପ ଭ୍ୟାନରେ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଉଥିବା ବେଳେ ୧୬ ଜଣଙ୍କ ଚିକିତ୍ସା ଚାଲିଛି । ତେବେ ସମସ୍ତଙ୍କ ଘର ସୀତଲକୁଚୀ ଥାନା ଅଞ୍ଚଳରେ ହୋଇଥିବା ସୂଚନା । ପିକଅପ୍ ଭ୍ୟାନର ଡ୍ରାଇଭର ଫେରାର ରହିଥିବା ବେଳେ ଗାଡି ଜବତ କରିଛି ପୋଲିସ । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।