ରାଜ୍ୟରେ ବଢିଲା ଶୀତ, ଆହୁରି ୫ ଦିନ ୫ ଡିଗ୍ରୀ ଯାଏଁ କମିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ବଢିଲା ଶୀତ । ୬ରୁ ୧୦ ଡିଗ୍ରୀ ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାଡ଼ରୁ ମିଳିବନି ତ୍ରାହି । ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହେଉଥିବାରୁ ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ କମିଛି । ଫଳରେ ତାପମାତ୍ରା ତଳମୁହାଁ ହୋଇଛି । ସେହିପରି ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ ଶୀତ ବଢିବ । କୋରାପୁଟ, କନ୍ଧମାଳ ସମେତ ସୁନ୍ଦରଗଡରେ ତାପମାତ୍ରା ଅହେତୁକ ଭାବରେ କମିବ ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । କିନ୍ତୁ ସେହି ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।