ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ

ବ୍ରହ୍ମପୁର: ଲଗାଣ ବର୍ଷାରେ ନଦୀରେ ପ୍ରବଳ ପାଣି ଆସି ଭସାଇ ନେଲା ଅସ୍ଥାୟୀ ପୋଲ । ବାଲିଗୁଡା ଉପଖଣ୍ଡର କ.ନୂଆଗାଁ ବ୍ଲକ୍ ଗୁଞ୍ଜିବାଡି ପଞ୍ଚାୟତର ଲକେବାଡି ଠାରୁ ବିରିନ୍ଦାପଡାକୁ ଯିବା ପାଇଁ କାଲିପେନୁ ନାଳ ଉପରେ ନିର୍ମାଣ ହୋଇଥିଲା ଏହି କାଠପୋଲ । ୭ରୁ ୮ଟି ଗାଁ ଲୋକେ ଜଳବନ୍ଦୀ । ପ୍ରଶାସନର ଅବହେଳା କାରଣରୁ ନଦୀ ଉପରେ ଏକ ପୋଲ ତିଆରି ହୋଇ ପାରୁନଥିବା ବେଳେ ଗାଁ ଲୋକେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଏହି କାଠପୋଲ ନିର୍ମାଣ କରିଥିଲେ । ଯାହାକୁ ବର୍ଷା ପାଣି ଭସାଇ ନେଇଛି ।

ପୋଲ ଭାସିଯିବା ପରେ ଦୁଇ ପଟରେ ରହୁଥିବା ଲୋକଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି । ଏପରିକି ଉଭୟ ପାର୍ଶ୍ବରେ ଥିବା ଜମିକୁ ଲୋକେ ଯାଇ ପାରୁନାହାନ୍ତି ।

ବାରମ୍ବାର ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ଲୋକଙ୍କ ଦାବିକୁ ଅଣଦେଖା କରି ଆସିଛି । ଯାହା ଫଳରେ ଲୋକେ ଏକାଠି ହୋଇ ଏହି କାଠ ପୋଲଟିକୁ ନିର୍ମାଣ କରିଥିଲେ ।