୧୦ ମାସ ପରେ ଖୋଲିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର 

ରାୟଗଡ଼ା/ପୁରୀ: ଦୀର୍ଘ ୧୦ ମାସ ପରେ ଆଜି ଖୋଲିଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର  । କୋଭିଡ ନିୟମ ଅନୁଯାୟୀ ମନ୍ଦିର ଭିତରକୁ ଭକ୍ତ ପ୍ରବେଶ କରୁଛନ୍ତି । ତେବେ ମକର ସଂକ୍ରାନ୍ତିରେ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ୧୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ତଥା ଛତିଶଗଡ଼ରୁ ହଜାର ହଜାର ଭକ୍ତ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥାନ୍ତି ।

ଅନ୍ୟପଟେ ଦ୍ୱିତୀୟ ଦିନରେ ଚାଲିଛି ଜଗା ଦର୍ଶନ । ଧାଡ଼ି ବାନ୍ଧି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ୧୦ ମାସ ପରେ କାଳିଆ ଦର୍ଶନ କରି ବିମୋହିତ ହୋଇଛନ୍ତି ଭକ୍ତ । କୋଭିଡ ଗାଇଡଲାଇନ ମାନି ଜଗା ଦର୍ଶନ ଜାରି ରହିଛି । ପରିଚୟପତ୍ର ଓ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ବ୍ୟାରିକେଡ୍‌ ଦେଇ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସାମୂହିକ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୧୮ ପ୍ଲାଟୁନ ପୋଲିସ ସହ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

କୋରୋନା କଟକଣା ଭିତରେ ଖୋଲିଲା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠ । ୯ ମାସ ଧରି ବନ୍ଦ ରହିଥିବା ଶ୍ରୀଚନ୍ଦ୍ରଶେଖର ଜିୟୁଙ୍କ ପୀଠ ଖୋଲିଥିବାରୁ ଶ୍ରଦ୍ଧାଳୁ ବେଶ ଉତ୍ସାହିତ ଅଛନ୍ତି । ଗତକାଲି ସେବାୟତଙ୍କ ପରିବାର ଦର୍ଶନ କରିଥିଲେ । ଆଜି ଠାରୁ ଜିଲ୍ଲାବାସୀଙ୍କୁ ମିଳିଛି ବାବାଙ୍କୁ ଦର୍ଶନ ଅନୁମତି । ୧୪ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି କେବଳ ଜିଲ୍ଲା ଭିତରର ଭକ୍ତ ମନ୍ଦିର ପ୍ରବେଶ କରି ମହାଦେବଙ୍କୁ ଦର୍ଶନ କରିବେ । କୋଭିଡ ନିୟମ ଅନୁପାଳନ କରି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମନ୍ଦିରଠୁ ପ୍ରବେଶ ପଥ ଯାଏଁ ସ୍ୱତନ୍ତ୍ର ବ୍ୟାରିକେଡ୍‌ ତିଆରି କରାଯାଇଛି । ମନ୍ଦିର ପ୍ରବେଶ ପରେ ଭକ୍ତ କିଭଳି ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Leave a Reply