spot_img

Latest Posts

ପୁଣି ବାଂଲାଦେଶରେ ଅରାଜକତା, ଢାକାରେ ଏକ ଦୁର୍ଗା ମନ୍ଦିରକୁ ଭାଙ୍ଗିଦେଲା ପ୍ରଶାସନ

ନନ୍ଦିଘୋଷ ବ୍ୟୁରୋ : ପୁଣି ବାଂଲାଦେଶରେ ଅରାଜକତା। ଢାକାରେ ଏକ ଦୁର୍ଗା ମନ୍ଦିରକୁ ଭାଙ୍ଗିଦେଲା ପ୍ରଶାସନ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବେଆଇନ ଭାବେ ମନ୍ଦିର ନିର୍ମାଣ ଓ ଉଗ୍ରବାଦୀ କାରଣ ଦର୍ଶାଇ ଏହାକୁ ଭଙ୍ଗାଯାଇଛି ବୋଲି ମହମ୍ମଦ ୟୁନୁସ ସରକାର କରିଥିବା ଯୁକ୍ତିକୁ ଭାରତ ପକ୍ଷରୁ ସମାଲୋଚନା କରାଯାଇଛି।

ଗତ ଗୁରୁବାର ଏକ ରେଳବାଇ ଜମି ଉପରେ ନିର୍ମିତ ଖିଲଖେତ ଦୁର୍ଗା ମନ୍ଦିରକୁ ବହୁ ଲୋକଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଭାଙ୍ଗିଦିଆଯାଇଥିଲା। ମନ୍ଦିର ଭାଙ୍ଗିବାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ବି ପ୍ରଶାସନ ଶୁଣି ନଥିବା ଅଭିଯୋଗ ହୋଇଛି। ବାଂଲାଦେଶ ରେଳବାଇର ଢାକ୍କା ଡିଭିଜନର ଡିଭିଜନାଲ ଇଷ୍ଟେଟ ଅଫିସର ଓ ଡେପୁଟୀ କମିଶନରଙ୍କ ଦ୍ବାରା ଏହି ମନ୍ଦିରକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। ପୂର୍ବାଞ୍ଚଳ ଆର୍ମି କ୍ୟାମ୍ପରୁ କେତେକ ବୁଲଡୋଜର ଅଣାଯାଇ ମନ୍ଦିରକୁ ଭାଙ୍ଗିଦିଆଯାଇଥିଲା। ମନ୍ଦିର ଭଙ୍ଗା ପ୍ରତିବାଦରେ ଆଜି ଢାକାର ଶାହାବାଗ ଅଞ୍ଚଳରେ ବାଂଲାଦେଶ ସମ୍ମିଳିତ ସନାତନ ଜାଗରଣ ଜ୍ୟୋତ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣାକୁ ନିନ୍ଦା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସୱାଲ।

ରଣଧୀର ଜୈସୱାଲ କହିଛନ୍ତି ମନ୍ଦିରର ସୁରକ୍ଷା ବଦଳରେ ଅନ୍ତରୀଣ ସରକାର ଯେପରି ଭାବେ ମନ୍ଦିରକୁ ଭାଙ୍ଗିଲେ ତାହାକୁ ଭାରତ ନିନ୍ଦା କରୁଛି। ହିନ୍ଦୁମାନଙ୍କ ଧନଜୀବନ ଓ ଧାର୍ମିକ ପ୍ରତିଷ୍ଠାନଗୁଡିକର ସୁରକ୍ଷା ଦାବି କରିଛନ୍ତି ରଣଧୀର। ବାଂଲାଦେଶରେ ଶେଖ ହସିନା ସରକାର ଗାଦିଚ୍ୟୁତ ହେବା ପରେ ଗତବର୍ଷ ଅଗଷ୍ଟ ୫ରୁ ଭାରତରେ ଆଶ୍ରୟ ନେଇଛନ୍ତି ହସିନା। ତାଙ୍କ ପ୍ରତ୍ୟର୍ପଣକୁ ନେଇ ଦୁଇ ଦେଶ ମଧ୍ଯରେ ବିବାଦ ଜାରି ରହିଛି।

Latest Posts

Don't Miss