ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର ! ନିଷ୍ପତ୍ତି ନେବ ପରିଚାଳନା କମିଟି

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ତାହା ପରିଚାଳନା କମିଟି ନିଷ୍ପତି ନେବ । ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଓ ଆଇନ ବିଭାଗର ଅନୁମୋଦନ ପରେ ଭିତର ରତ୍ନଭଣ୍ଡାର ଖୋଲିପାରିବ ।

ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇର ଚିଠି ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉନ୍ନୟନ ପ୍ରଶାସକ । ସେପଟେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ଚୁଡାନ୍ତ ହେଲେ ସେବାୟତ ମାନେ ସହଯୋଗ କରିବେ ବୋଲି କହିଛନ୍ତି । ଦୀର୍ଘ ବର୍ଷ ଧରି ଭିତର ରତ୍ନଭଣ୍ଡାର ଖୋଲାଯାଇ ନଥିବା ବେଳେ ଏହାର ଯାଞ୍ଚ ପାଇଁ 2018ରେ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ସମୟରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା ।

ପରେ ଗତ ଅଗଷ୍ଟ 6 ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏଏସଆଇ ପକ୍ଷରୁ ଅଗଷ୍ଟ 8 ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ୍ ବିଭାଗକୁ ଭିତର ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପାଇଁ ଚିଠି ଲେଖାଯାଇଥିବା ଜଣାପଡିଛି ।