କାଲିଠୁ ତାତିରେ ଲାଗିବ ବ୍ରେକ, କାଳବୈଶାଖୀ ପ୍ରଭାବରେ କମିବ ପାରଦ

1 min read

ଭୁବନେଶ୍ୱର: ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ କମିବ ପାରଦ । ମେ’ ୧ରୁ ୨ ତାରିଖ ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ଦିନର ତାପମାତ୍ରା । ଆସନ୍ତାକାଲିଠାରୁ ପାରଦ କମିଥିବାବେଳେ ଆଜିବି କଲବଲ କରିବ ତାତି । ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପାରଦ ଉପରମୁହାଁ ରହିବ । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେପଟେ ମେ’ ୪ ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଇଏମଡି ପୂର୍ବାନୁମାନ କରିଛି । ଏହି ଘୂର୍ଣ୍ଣିବଳୟ ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଲଘୁଚାପ ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବା ନେଇ ଅଧିକାଂଶ ମଡେଲ୍ ଦର୍ଶାଉଛି । ଏପରିକି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଯାଉଥିବା ଜଣାପଡ଼ିଛି ।