ତାତିରେ ଲାଗିବନି ବ୍ରେକ୍, ପଶ୍ଚିମ ଓଡ଼ିଶାରେ ହେବ ନିଆଁ ବର୍ଷା

ଭୁବନେଶ୍ୱର: ମଧ୍ୟାହ୍ନରେ ପ୍ରବଳ ତାତି, ଅପରାହ୍ନରେ ପ୍ରବଳ ବର୍ଷା । ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ସକାଳୁ ପ୍ରବଳ ଖରା ସହିତ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳୁଛି । ୨୯ ତାରିଖ ପର୍ଯ୍ୟନ୍ତ ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି । ଆଜି ରାଜ୍ୟର ୮ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ୨୧ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସମେତ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

ସେପଟେ କାଳବୈଶାଖୀ ବର୍ଷାର ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍ ଲାଗିବାର ସମ୍ଭାବନା ନାହିଁ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାଚ୍ରା ଅଧିକ ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ଉପକୂଳ ଓଡ଼ିଶାରେ କାଳବୈଶାଖୀ ହେଲେ ମଧ୍ୟ ତାତି ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର । ଏଥିପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର।