ଅସହ୍ୟ ତାତିରେ ସନ୍ତୁଳି ହେଉଛି ଓଡ଼ିଶା, ଉପକୂଳରୁ ଉପାନ୍ତ ସବୁଠି ପ୍ରବଳ ତାତି

ଭୁବନେଶ୍ୱର: ଅସହ୍ୟ ଗରମରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତାତି । ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଲଗାତାର ୪୫ ଡିଗ୍ରୀ ବା ତା’ର ପାଖାପାଖି କରୁଛି ପାରା । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ । ଉପୂକଳ ଓଡ଼ିଶାରେ ବି ସ୍ଥିତି ସଙ୍ଗୀନ । ୧୦ଟା ପରେ ଘରୁ ବାହାରିବା ଏକଦମ ମୁସ୍କିଲ ହୋଇପଡ଼ୁଛି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ସମାନ ସ୍ଥିତି ଜାରି ରହିବ । ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ବୌଦ୍ଧ, ସୋନପୁର ଏବଂ ବରଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ଓ ୮ ତାରିଖରେ ମଧ୍ୟ ସମାନ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଜାରି କରାଯାଇଛି ସତର୍କତା ।

ସେପଟେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଆଜି ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢ଼େଙ୍କାନାଳ, ଅନୁଗୁଳ, କଟକ, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାକୁ ଜାରି କରାଯାଇଛି ସତର୍କତା । ଅନ୍ୟପଟେ ଓଡ଼ିଶାକୁ ମୌସୁମୀ କେବେ ଛୁଇଁବ ତାହା ଏବେ ବି ସ୍ପଷ୍ଟ ହୋଇନାହିଁ ।