ଆସନ୍ତା ଦୁଇଦିନ ଆହୁରି ବଢିବ ତାପମାତ୍ରା, କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ତାତି

ଭୁବନେଶ୍ୱର: ରାଜ୍ୟରେ ପୁଣି କଲବଲ କରୁଛି ତାତି । ଜଳୁଛି ପଶ୍ଚିମ ଓଡ଼ିଶା । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ଏବଂ କିଛି ଜିଲ୍ଲାରେ ୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିପାରେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ୱାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ନଜରରେ ସବୁ ଜିଲ୍ଲାପାଳ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଗତକାଲି ରାଜ୍ୟର ୧୬ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । ୪୪.୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ।