ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା, ୧୩ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

1 min read

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ତଳ ମୁହାଁ ପାରଦ । ୧୩ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସବୁଠାରୁ କମ୍ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗତ ଶନିବାର ସଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହୋଇଛି । ଏହା ନିଜର ତୀବ୍ରତା ବଜାୟ ରଖିବା ସହ ପରବର୍ତ୍ତୀ ୨୪ ଘଣ୍ଟା ଯାଏ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ।

ତାମିଲନାଡୁ -ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁ ଅବପାତ । ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଏବଂ କନ୍ଧମାଳରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି । ୨୩ ତାରିଖରୁ ବଢ଼ିବ ରାତିର ତାପମାତ୍ରା । ସ୍ୱାଭାବିକଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।