ତାତିରୁ ଆଶ୍ୱସ୍ତି ଦେବନି ଲଘୁଚାପ, ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

1 min read
Temperature To Rise 3 To 4 Degree In Odisha

ଭୁବନେଶ୍ୱର: ଲଘୁଚାପ ହେଲେ ବି ତାତିରୁ ମିଳିବନି ତ୍ରାହି । ଅସହ୍ୟ ଗରମରେ କଲବଲ ହେବ ଆଭ୍ୟନ୍ତରୀଣ ଓଡ଼ିଶା । ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପାରଦ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ ନୟାଗଡ଼ ସହ ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ସକ୍ରିୟ ହୋଇଛି ଏବର୍ଷର ପ୍ରଥମ କାଳବୈଶାଖୀ । ଏହା ପ୍ରଭାବରେ କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ , ଏବଂ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡି ପବନ ସହିତ ବର୍ଷା ହୋଇଛି । କିଛି ସ୍ଥାନରେ ୫୦ରୁ ୬୦ କିମି ବେଗରେ ପବନ ମଧ୍ୟ ହୋଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ମାର୍ଦ୍ଦା ଗାଁରେ ଗଛ ପଡି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।

ସେପଟେ ଦକ୍ଷିଣ-ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ । ଲଘୁଚାପଟି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି କୁହାଯାଇଛି । ତେବେ ଏହା ଅଧିକ ଘନୀଭୂତ ହେବ କି ନାହିଁ ସ୍ପଷ୍ଟ ହୋଇନାହିଁ । ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ମଡେଲ କରିଛନ୍ତି ଭିନ୍ନ ଆକଳନ ।