ରାଜ୍ୟରେ କାଲିଠୁ ପୁଣି ଉପରମୁହାଁ ହେବ ପାରଦ

1 min read
Temperature To Increase In Odisha After Cyclone Asani

ଭୁବନେଶ୍ୱର: ଦୁର୍ବଳ ହେଲା ବାତ୍ୟା ‘ଅସାନି’ । ଆଜି ସନ୍ଧ୍ୟାରେ ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଅସାନି’ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରେ ବାତ୍ୟା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତି କରିବା ସମୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ହୋଇପାରେ ।

ଆନ୍ଧ୍ର ପ୍ରଦେଶର କିଛି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେଠାରେ ବନ୍ଦର ଗୁଡ଼ିକରେ ୧୦ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଓଡ଼ିଶାରେ ଏବେ ବାତ୍ୟାର କୌଣସି ପ୍ରଭାବ ନାହିଁ । ଆଜି ରାତିରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁ ସାରିଥିବାରୁ ଓଡ଼ିଶାର ସବୁ ବନ୍ଦରରୁ ବିପଦ ସଂକେତ ଉଠାଇ ଦିଆଯାଇଛି ।

ଅନ୍ୟପଟେ ଗୁରୁବାର ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ମେଘମୁକ୍ତ ଆକାଶ ସହ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିଛି । ୨ ଦିନ ଭିତରେ ସବୁ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ହେବ । ୧୫ ତାରିଖ ବେଳକୁ ସ୍ୱାଭାବିକ ଠାରୁ ଉପରମୁହାଁ ହେବ ପାରଦ । ଫଳରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ପହଞ୍ଚି ପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।