କମିଲା ଶୀତ, ୩ ଦିନ କୁହୁଡ଼ି କରିବ କଲବଲ

ଭୁବନେଶ୍ବର: ହାଡ଼ ଭଙ୍ଗା ଶୀତରୁ ସାମାନ୍ୟ ଆସ୍ବସ୍ତି । ରାଜ୍ୟରେ କମିଲା ଶୀତ, ବଢ଼ିଲା ତାପମାତ୍ରା । ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି । ଘନ କୁହୁଡ଼ି ପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖରୁ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବାୟୁ ଚଳାଚଳରେ ନିଷ୍କ୍ରିୟତା ଓ ନିର୍ମଳ ଆକାଶ ପାଇଁ କୁହୁଡ଼ିର ପ୍ରକୋପ ବଢୁଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

କିଛିଦିନ ହେବ ରାଜଧାନୀ ଭୁବନେଶ୍ବର ସମେତ ପୂରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତୁଆ ସକାଳକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଦାରିଙ୍ଗବାଡ଼ିରେ ତୁଷାରପାତରେ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ ।