ମାର୍ଚ୍ଚରେ ସ୍ଥିତି ହେବ ଅସମ୍ଭାଳ, ଏବେଠୁ ଉପରମୁହାଁ ପାରଦ

ଭୁବନେଶ୍ୱର: ତାତିଲା ଫେବୃଆରୀ । ମାର୍ଚ୍ଚରେ ସ୍ଥିତି ହେବ ଅସମ୍ଭାଳ । ରାଜ୍ୟରେ ଉପରମୁହାଁ ପାରଦ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଚଳିତ ମାସରେ ଅସହ୍ୟ ତାତି ଅନୁଭୁତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ବିଶେଷ କରି ରାଜଧାନୀ ଭୁବନେଶ୍ବର ସମେତ ଅନୁଗୁଳ, ସୋନୁପୁର, ବୌଦ୍ଧ, ଟିଟିଲାଗଡ, ବଲାଙ୍ଗିର, ସମ୍ବଲପୁର, ତାଳଚେର, ଚାନ୍ଦବାଲି, ମାଲକାନଗିରିରେ ତାପମାତ୍ରା ୩୮ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ତାତି ସହ ଗରମ ପବନରେ ଅସ୍ତବ୍ୟସ୍ତ ହୋଇପାରେ ଜନଜୀବନ । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରବଳ ତାତି ଅନୁଭୁତ ହେବ ବୋଲି ଆକଳନ କରାଯାଇଛି ।

ଓଡିଶାର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ଥିବା ବେଳେ ହଟସ୍ପଟରେ ରହିଛି ରାଜଧାନୀ ଭୁବନେଶ୍ବର । ଗତ ନଭେମ୍ବର ମାସରୁ ରାଜ୍ୟରେ ବର୍ଷା ହୋଇନଥିବା ବେଳେ ମାଟି ଶୁଷ୍କ ରହିଛି । ପଶ୍ଚିମା ଝଡର ପ୍ରଭାବ ନ ଥିବାରୁ ତାତି ଅହେତୁକ ଭାବରେ ବୃଦ୍ଧି ପାଉଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।