ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ: ୨ରୁ୩ ଡିଗ୍ରୀ କମିବ ତାପମାତ୍ରା

1 min read

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ । ଏବେ ଓଡ଼ିଶାକୁ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ବହୁଥିବାରୁ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଶୀତର ପରିମାଣ ବଢିବ । ବିଶେଷ କରି ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଭୟ ବଢ଼ାଉଛି ଲଘୁଚାପ । ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓଡ଼ିଶାର ଜିଲ୍ଲାରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା କ୍ରମେ ଘନିଭୂତ ହୋଇ ୧୨ କିମ୍ବା ୧୩ ତାରିଖରେ ତାମିଲନାଡୁ ଏବଂ ତତ୍ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଚେନ୍ନାଇ ସହ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ। ଏହା ପ୍ରଭାବରେ ଭୁବନେଶ୍ବର, ଗୋପାଳପୁର, ପୁରୀ ଓ ପାରାଦୀପ ସମେତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ୧୧ ଓ ୧୨ ତାରିଖରେ ପ୍ରବଳ ବର୍ଷା ହେବ । ଉପକୂଳ ଜିଲ୍ଲାର ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ସହିତ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ରାୟଗଡ଼ା, କୋରାପୁଟ, ଓ ମାଲକାନଗିରିରେ ମଧ୍ୟ ହାଲୁକାରୁ ସ୍ବଳ୍ପ ବର୍ଷାର ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ବନ୍ଦ ପାଳନରେ ଲୋକଙ୍କୁ ହଇରାଣ କରୁଛି ବିଜେପି: ଦେଖନ୍ତୁ ବିଭିନ୍ନ ସ୍ଥାନର ଦୃଶ୍ୟ

Leave a Reply