ରାଜ୍ୟରେ ଖସୁଛି ତାପମାତ୍ରା, ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ତାପମାତ୍ରା, ଧିରେ ଧିରେ ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ସ୍ବାଭାବିକ ଠାରୁ କମିଛି ଏକ କିମ୍ବା ଦୁଇ ଡିଗ୍ରୀ ତାପାମାତ୍ରା । ଫୁଲବାଣୀରେ ସବୁଠାରୁ କମ୍ ୧୩.୫ ଡିଗ୍ରୀ ସେଲସିଏସ ତାପମାତ୍ରା ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେହିଭଳି ଭୁବନେଶ୍ବରରେ ସକାଳେ ୨୦.୦ ଡିଗ୍ରୀ ସେଲସିଏସ୍ ତାପାମତ୍ରା ରେକର୍ଡ କରାଯାଇଛି । କିଛି ସ୍ଥାନରେ କୁହୁଡ଼ି ପଡ଼ିବା ମଧ୍ୟ ଦେଖବାକୁ ମିଳିଛି ।

ସେହିପରି ଫୁଲବାଣୀ ଓ ପାରଳାଖେମୁଣ୍ଡିଠାରେ ଆଜି ସକାଳୁ ଅଧିକ କୁହୁଡ଼ି ଦେଖିବାକୁ ମିଳିଥିଲା। ଫୁଲବାଣୀ ଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିବା ବେଳେ ପାରଳାଖେମୁଣ୍ଡିରେ ୭୦୦ ମିଟର ରହିଥିଲା । ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ନଭେମ୍ବର ୧ ବେଳକୁ ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରର କିଛି ସ୍ଥାନରେ ବର୍ଷା ନେଇ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।