ପୁଷ ମାସରେ କମ୍ବଳ ଅଲୋଡା, ରାଜ୍ୟରେ ଅସ୍ବାଭାବିକ ଭାବେ ବଢୁଛି ତାପମାତ୍ରା

ଭୁବନେଶ୍ବର: ପୌଷ ମାସରେ ଲୋଡ଼ା ହେଉନି କମ୍ବଳ । ଶୀତ ବଦଳରେ ହେଉଛି ଗରମ । ରାଜ୍ୟରେ ଅସ୍ବାଭାବିକ ଭାବେ ବଢୁଛି ତାପମାତ୍ରା । ସ୍ବାଭାବିକ ଠାରୁ ୬ରୁ ୮ଡିଗ୍ରୀ ବଢିଛି ପାରା । ଫଳରେ ଲଗାତାର ଶୀତ କମିବାରେ ଲାଗିଛି । ରାତିରେ ଜାଡ଼ ବଦଳରେ ଅନୁଭୂତ ହେଉଛି ଗରମ । ଓଡ଼ିଶା ଉପକୂଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳିୟବାଷ୍ପ ପ୍ରବେଶ କରୁଛି । ଯାହା ତାପମାତ୍ରା ବୃଦ୍ଧି କରାଇବାରେ ସହାୟକ ହୋଇଛି ।

ଆସନ୍ତା ୫ଦିନ ଯାଏ ଏପରି ସ୍ଥିତି ଜାରି ରହିବ । ଫଳରେ ଶୀତ ହେବାର ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର । ତେବେ କେତେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ୁଛି । ଆସନ୍ତା ଦୁଇଦିନ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କୁହୁଡି ପଡ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।