ସସପେନ୍ସରେ ରଶ୍ମିରେଖା ସୁଇସାଇଡ, ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ

ନନ୍ଦିଘୋଷ ବ୍ୟୁରୋ: ଟେଲି ଅଭିନେତ୍ରୀ ରଶ୍ମିରେଖା ସୁଇସାଇଡ୍ ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ । ଭୁବନେଶ୍ବର ନୟାପଲ୍ଲୀ ଭଡ଼ା ଘର ମାଲିକ ଏନେଇ ସୂଚନା ଦେଇଛନ୍ତି। ସ୍ୱାମୀ ସନ୍ତୋଷ ଓ ରଶ୍ମିଙ୍କ ଭିତରେ ପୂର୍ବତନ ପ୍ରେମିକ ରାଜାଙ୍କୁ ନେଇ ବାରମ୍ବାର ଝଗଡ଼ା ହେଉଥିଲା। ରାଜା ପୂର୍ବରୁ ରଶ୍ମିଙ୍କ ବୟଫ୍ରେଣ୍ଡ ଥିଲେ। ଏକଥା ନିଜେ ରଶ୍ମିଙ୍କ ଖୁଡ଼ି ମାନିଥିବା ଘର ମାଲିକ କହିଛନ୍ତି । କେବଳ ସେତିକି ନୁହେଁ ରଶ୍ମିଙ୍କ ହାତରେ ରାଜାଙ୍କ ଟାଟୁ ଥିଲା । ପରେ ସେ ଟାଟୁକୁ ହାତରୁ ଲିଭେଇ ଦେଇଥିଲେ। ରାଜାଙ୍କୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ରଶ୍ମି ପରିବାରର ସ୍ୱୀକୃତିରେ ବିବାହ କରିନଥିଲେ କିମ୍ବା ତାଙ୍କ ପରିବାର ଲୋକ ମଧ୍ୟ ବିବାହ ନେଇ କିଛି ଜାଣି ନାହାଁନ୍ତି  ।  ସ୍ୱାମୀ ସ୍ତ୍ରୀ ପରିଚୟ ଦେଇ ଘର ଭଡା ନେଇଥିଲେ ରଶ୍ମିଙ୍କ ସ୍ୱାମୀ ସନ୍ତୋଷ ପାତ୍ର। ରଶ୍ମିରେଖା ସୁଇସାଇଡ୍ କରିବା ଦିନ ସନ୍ତୋଷ ଘରେ ନଥିଲେ, ଅଫିସ କାମରେ ବାଙ୍ଗଲୋର ଯାଇଥିଲେ। ବନ୍ଦ ଘରୁ କବାଟ ଭାଙ୍ଗି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେତେବେଳେ ରଶ୍ମିରେଖାଙ୍କ ମୋବାଇଲରେ ସ୍ୟାଡ୍ ସଙ୍ଗ ବାଜୁଥିଲା। ମୃତଦେହ ନିକଟରୁ ମିଳିଥିଲା ଏକ ସୁଇସାଇଡ୍ ନୋଟ୍  । ଏହି ସୁଇସାଇଡ ନୋଟରେ ରଶ୍ମିରେଖା ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନଥିବା ଉଲ୍ଲେଖ ରହିଛି  ।

ଏପରିକି ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ ନକରିବାକୁ ଚିଠିରେ ଲେଖିଛନ୍ତି । ପ୍ରଥମେ ରଶ୍ମି ଓ ସନ୍ତୋଷ ବିବାହ କଥା ରଶ୍ମିଙ୍କ ବାପା ପୋଲିସ ସାମ୍ନାରେ ମାନି ନଥିଲେ । ହେଲେ ପରେ ବିବାହ ଓ ରାଜାଙ୍କ ସହ ସଂପର୍କ କଥା ପୋଲିସ ଆଗରେ ମାନିଛନ୍ତି । ଦେଢ଼ ମାସ ଭଡାଘରେ ରହିବା ବେଳେ ସନ୍ତୋଷଙ୍କ ସହ ପାଟିତୁଣ୍ଡ ହେବା ନେଇ ଦୁଇ ଥର ଆସିଥିଲେ ରଶ୍ମିଙ୍କ ବାପା। ଗତ ଶନିବାର ଦିନ ରଶ୍ମିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା । ତେବେ ପୋଲିସ ଏନେଇ ତଦନ୍ତ ଜାରି ରଖିଥିବାବେଳେ, ଏହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  ।