ତେଲେଙ୍ଗାନା ଏନକାଉଣ୍ଟର ମାମଲାରେ ହାଇକୋର୍ଟଙ୍କ ରାୟ, ଆଉଥରେ ହେବ ୪ ଅଭିଯୁକ୍ତଙ୍କ ଶବ ବ୍ୟବଚ୍ଛେଦ

ହାଇଦ୍ରାବାଦ : ବହୁଚର୍ଚ୍ଚିତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଶବକୁ ପୁଣିଥରେ ବ୍ୟବଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି । ତେଲେଙ୍ଗାନା ହାଇକୋର୍ଟ ଏ ମାମଲାରେ ଆଜି ଶୁଣାଣି କରି ପୁଣିଥରେ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ଏବେ ଗାନ୍ଧି ହସ୍ପିଟାଲର ଶବ ଗୃହରେ ସଂରକ୍ଷିତ ଥିବା ୪ ଅଭିଯୁକ୍ତଙ୍କ ଶବକୁ ପୁଣିଥରେ ବ୍ୟବଚ୍ଛେଦ କରାଯିବ ।

ସୂଚନା ଯୋଗ୍ୟ ଯେ, ନଭେମ୍ବର ୨୭ ତାରିଖରେ ହାଇଦ୍ରାବାଦରେ ଜଣେ ମହିଳା ପଶୁଡାକ୍ତରଙ୍କୁ ୪ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିବା ସହ ଜାଳିଦେଇଥିଲେ । ୨୮ ତାରିଖ ସକାଳେ ଏ ଘଟଣା ସାମ୍ନାକୁ ଆସିବା ସହ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର କରିଥିଲା ପୋଲିସ । ଏହାପରେ ୨ ଦିନ ମଧ୍ୟକେ ସବୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ହେପାଜତକୁ ନେଇଥିଲା । ଏହି ଘଟଣାର ସତ୍ୟାସତ୍ୟ ପାଇଁ ୬ ଡିସେମ୍ବର ରାତି ୩ଟାରେ ୪ ଅଭିଯୁକ୍ତଙ୍କୁ ସିନ୍ ରିକ୍ରିଏସନ୍ ପାଇଁ ଘଟଣାସ୍ଥଳକୁ ନିଆଯାଇଥିବା ବେଳେ ସେମାନେ ଖସି ଯିବାକୁ ଚେଷ୍ଟା କରୁଥିଲେ । ପୋଲିସ ସହ ସଂଘର୍ଷରେ ସେମାନଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ ।

ସେହିଠାରେ ହିଁ ୪ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେତେବେଳେ ସାରା ଦେଶରେ ତର୍କ ବିତର୍କ ସୃଷ୍ଟି ହୋଇଥିଲା । କିଛି ଏହାକୁ ସମର୍ଥନ କରିଥିବା ବେଳେ ଆଉ କିଛି ଗୋଷ୍ଠୀ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଦାୟର ହୋଇଥିଲା । କୋର୍ଟ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ କମିଟି ଗଠନ କରିଥିଲେ । ଏ କମିଟି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏବେ ହାଇକୋର୍ଟ ପୁନର୍ବାର ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply