ଆଜି ଠାରୁ ଅକାମି ହେଲା ୧୩୮ ବର୍ଷ ପୁରାତନ ଭାରତୀୟ ଟେଲିଗ୍ରାଫ ଆଇନ

1 min read

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଲାଗୁ ହେବ ନୂଆ ଟେଲିକମ ଆଇନ । ଟେଲିକମ ଆଇନ ୨୦୨୩ ଆଜିଠାରୁ ହେବ ଲାଗୁ । ଆଜିଠାରୁ ଅକାମି ହେଲା ୧୩୮ ବର୍ଷ ପୁରାତନ ଭାରତୀୟ ଟେଲିଗ୍ରାଫ ଆଇନ- ୧୮୮୫ ଓ ଭାରତୀୟ ଓ୍ବାଇରଲେସ ଟେଲିଗ୍ରାଫ ଆଇନ- ୧୯୩୩ । ଟେଲିକମ୍ୟୁନିକେସନ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ନୂଆ ଆଇନ ଲାଗୁ କରାଯାଇଛି ।

୨୦୨୩ ଡିସେମ୍ବର ଶୀତକାଳୀନ ଅଧିବେଶନରେ ସଂସଦର ଉଭୟ ଗୃହରେ ଏହି ଆଇନ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଥିଲା । ଏହି ଆଇନର ଧାରା ୧, ୨, ୧୦ରୁ ୩୦, ୪୨ରୁ ୪୪, ୪୬, ୪୭, ୫୦ରୁ ୫୮, ୬୧ ଓ ୬୨ ଏଣିକି ଲାଗୁ ହେବ । ପୁରୁଣା ଔପନିବେଶିକ ଆଇନର ଅନେକ ବ୍ଯବସ୍ଥା ବଦଳରେ ନୂଆ ଆଇନରେ ଅନେକ ବ୍ଯବସ୍ଥା ରହିଛି ।

ନୂଆ ଆଇନରେ ଉପଭୋକ୍ତାଙ୍କ ସୁରକ୍ଷା, ସଠିକ୍ ମାର୍ଗରେ ସଂସ୍କାର, ସ୍ପେକ୍ଟ୍ରମର ସର୍ବୋଚ୍ଚ ବ୍ଯବହାର ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି । ବଡ଼କଥା ହେଉଛି ଜାତୀୟ ନିରାପତ୍ତା ଆଧାରରେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଟେଲିକମ ସର୍ଭିସକୁ ସରକାର ଅସ୍ଥାୟୀ ଭାବେ ନିଜ ନିୟନ୍ତ୍ରଣକୁ ନେବାର ବ୍ଯବସ୍ଥା ଏହି ଆଇନରେ ଅଛି । ସରକାର ଟେଲିକମ ସେବାକୁ ନିୟନ୍ତ୍ରଣ କରିପାରିବେ, କିମ୍ବା ସସପେଣ୍ଡ କରିପାରିବେ କିମ୍ବା ଏହି ସେବା ଲାଗି ଅନ୍ଯ କୌଣସି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିପାରିବେ, କିମ୍ବା ଅନ୍ଯ କୌଣସି ଟେଲିକମ୍ୟୁନିକେସନ ନେଟଓ୍ବର୍କକୁ ଏହାର ପରିଚାଳନା ଭାର ହସ୍ତାନ୍ତର କରିପାରିବେ । ଏହା ସହ ନୂଆ ସିମ, କନେକସନ କ୍ଷେତ୍ରରେ ବାୟୋମେଟ୍ରିକ ଭେରିଫିକେସନ ଅର୍ଥାତ ଆଧାର କାର୍ଡ ଲିଙ୍କ ସକାଶେ ଟେେଲିକମ ଅପରେଟରମାନଙ୍କ ଲାଗି ବାଧ୍ଯତାମୂଳକ କରାଯିବ । ସ୍ପେକ୍ଟ୍ରମ ଆବଣ୍ଟନ କ୍ଷେତ୍ରରେ ତିନିଟି ବିଷୟକୁ ଗୁରୁତ୍ବ ଦିଆଯିବ ।

ପ୍ରଥମଟି ହେଉଛି ସାଧାରଣ ସ୍ବାର୍ଥ- ଯଥା ମେଟ୍ରୋ, କମ୍ୟୁନିଟ ରେଡିଓ ଓ ବ୍ରଡକାଷ୍ଟିଂ । ଦ୍ବିତୀୟଟି ହେଉଛି- ସରକାରୀ କ୍ଷେତ୍ର ଅର୍ଥାତ ପ୍ରତିରକ୍ଷା, ରେଳବାଇ, ପୋଲିସ । ତୃତୀୟଟି ହେଉଛି ବୈଷୟିକ ଓ ଅର୍ଥନୈତିକ ଅର୍ଥାତ ବ୍ଯାକହଲ ଓ ସାଟେଲାଇଟ । ସେହିପରି ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ବା ୟୁଏସଓଏଫ ବଦଳରେ ଲାଗୁ ହେବ ଡିଜିଟାଲ ଭାରତ ନିଧି । ଗବେଷଣା, ବିକାଶ, ପାଇଲଟ ପ୍ରକଳ୍ପ ଲାଗି ଏହି ପାଣ୍ଠି ବ୍ଯବହୃତ ହେବ । ନୂଆ ଆଇନ ଅନୁସାରେ ସ୍ପାମ ଓ ମାଲିସିଅସ କମ୍ୟୁନିକେସନରୁ ଖାଉଟିଙ୍କୁ ସୁରକ୍ଷା ମିଳିବ ।