ଟମାଟୋ ବିକି ମାସକରେ କୋଟିଏ ଟଙ୍କା ରୋଜଗାର କଲେ ଚାଷୀ

ହାଇଦ୍ରାବାଦ: ଗୋଟିଏ ପଟେ ଟମାଟୋର ଚଢା ଦର ଗ୍ରାହକଙ୍କ ପକେଟ୍‌ ଖାଲି କରିଦେଉଥିବା ବେଳେ ଆଉ ଗୋଟେ ପଟେ ଚଢାଦରରେ ଟମାଟୋ ବିକି ଚାଷୀ ମାଲାମାଲ୍‌  । ସତରେ ଚାଷୀଙ୍କ ପାଇଁ ଟମାଟୋ ଏବେ ସୁନା ସାବ୍ୟସ୍ତ ହୋଇଛି  । ତେଲାଙ୍ଗାନା ମେଡକ ଜିଲ୍ଲାର ଜଣେ ଚାଷୀଙ୍କ ଭାଗ୍ୟ ଟମାଟୋ ବଦଳାଇ ଦେଇଛି  । କିଛି ଦିନ ମଧ୍ୟରେ ଟମାଟୋ ବିକି ଚାଷୀ ବି. ମହିପାଲ ରେଡ୍ଡୀ କୋଟିପତି ସାଜିଛନ୍ତି  । ମାତ୍ର ଏକ ମାସ ମଧ୍ୟରେ ଏକ କୋଟି ୮ ହଜାର ଟଙ୍କା ରୋଜଗାର କରିଛନ୍ତି ତେଲାଙ୍ଗାନା ଚାଷୀ  ।

ପାଠପଢାରେ ଡୋରି ବାନ୍ଧିବା ପରେ ଚାଷବାସ କରିବାକୁ ମନସ୍ଥ କରିଥିଲେ ମହିପାଲ  । ଧାନ ଚାଷ ଆରମ୍ଭ କରିଥିବା ମହିପାଳଙ୍କୁ ସେତେବେଳେ ସେତିକି ଲାଭ ମିଳିନଥିଲା  । ଏହାପରେ ଟମାଟୋ ଚାଷ ମହିପାଲଙ୍କ ଜୀବନରେ ବରଦାନ ସାଜିଥିଲା  ।

୧୫ ଜୁନରୁ ବର୍ତ୍ତମାନ ସୁଦ୍ଧା ମାତ୍ର ଏକ ମାସ ମଧ୍ୟରେ ଟମାଟୋ ବିକି ସେ କୋଟିପତି ହୋଇପାରିଛନ୍ତି  । କୋଡିପଲୀ ଗାଁର ୪୦ ବର୍ଷୀୟ ଏହି ଚାଷୀ ଜଣକ ୪୦ ଏକର ଜମିରେ ୪ ବର୍ଷ ପୂର୍ବେ ପରିବା ଚାଷ ଆରମ୍ଭ କରିଥିଲେ  ।ବଳକା ୬୦ ଏକରରେ ସେ ଏବେ ବି ଧାନଚାଷ କରୁଛନ୍ତି  । ପ୍ରଥମେ ତ ବର୍ଷା ପାଇଁ ଟମାଟୋ ଚାଷରେ ସେ ଅନେକ କ୍ଷତି ସହିଥିଲେ  । ଏହାପରେ ପରିବା ଚାଷକୁ ବଞ୍ଚାଇବା ପାଇଁ ସେ ଜାଲର ବ୍ୟବବହାର କରିଥିଲେ  । ଗତ ଏପ୍ରିଲ ୧୫ରେ ଆଠ ଏକର ଜମିରେ ଟମାଟୋ ଲଗାଇଥିଲେ  । ଜୁନ ୧୫ ବେଳକୁ ସେ ଲଗାଇଥିବା ଟମାଟୋ ବିକ୍ରି କରିବା ଆରମ୍ଭ କରିଦେଲେ  ।

ସେ ପାଖାପାଖି ୭ ହଜାର ପେଟି ଟମାଟୋ ବିକ୍ରି କରିଛନ୍ତି  । ପ୍ରତ୍ୟେକ ପେଟିର ଓଜନ ୨୫ କିଲୋଗ୍ରାମରୁ ଅଧିକ ହେବ  । ପାଖାପାଖି ୨ କୋଟିରୁ ଅଧିକ ଟଙ୍କା ଟମାଟୋର ମୂଲ୍ୟ ହେବ  । କାରଣ ଏବେ ବି ତାଙ୍କ ଜମିରେ ୪୦ ପ୍ରତିଶତ ଟମାଟୋ ରହିଛି  ।