ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ପଡ଼ିଲା ମହଙ୍ଗା, ବନ୍ଧାହେଲେ ବିଜେପି ବିଧାୟକ

ତେଲେଙ୍ଗାନା: ମହଙ୍ଗା ପଡ଼ିଲା ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ । ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଗିରଫ ହୋଇଛନ୍ତି ତେଲଙ୍ଗାନାର ବିଜେପି ବିଧାୟକ ଟି. ରାଜା ସିଂହ । ବିବାଦୀୟ ମନ୍ତବ୍ୟ ଦେଇ ଏହାକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ ଟି ରାଜା ସିଂ । ତେବେ ଏହି ଅଡିଓ ଭାଇରାଲ ହେବା ପରେ ରାଜରାସ୍ତାରେ ଲୋକ ବିକ୍ଷୋଭ ଆରମ୍ଭ କରିଥିଲେ । ଟି. ରାଜାଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଲୋକ ।

ନିକଟରେ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମାମଲା ଥଣ୍ଡା ପଡ଼ିନଥିବା ବେଳେ ପୁଣି ଏପରି ବିବାଦୀୟ ମନ୍ତବ୍ୟ ଦେଇ ଜନ ଅସନ୍ତୋଷକୁ ନିମନ୍ତ୍ରଣ କରିଛନ୍ତି ବିଜେପି ବିଧାୟକ ଟି. ରାଜା ସିଂହ । ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଟି. ରାଜା ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିକ୍ଷୋଭକାରୀ ତାଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।