ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ କେନ୍ଦ୍ର ସରକାରଙ୍କ ୧୬ କୋଟି ଟଙ୍କା ପଠାଇଲା ବ୍ୟାଙ୍କ

ହାଇଦ୍ରାବାଦ: କରୋନା ସହ ଲଢ଼େଇ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିଲିଫ୍‌ ଫଣ୍ଡ ଏବେ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଚାଲିଯାଇଛି । କେନ୍ଦ୍ର ସରକାରଙ୍କ ରିଲିଫ୍‌ ଫଣ୍ଡ ପ୍ରାୟ ୧୬ କୋଟି ଟଙ୍କା ୩ ଲକ୍ଷ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଯାଇଛି । ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କ ଦ୍ୱାରା ଏଭଳି ଏକ ସାଂଘାତିକ ଭୁଲ୍‌ ହୋଇଥିବା ଜଣାପଡ଼ିଛି ।

ତେବେ ଏହି ତ୍ରୁଟି ଜଣାପଡ଼ିବା ପରେ ବ୍ୟାଙ୍କ ପକ୍ଷରୁ ଟଙ୍କା ଫେରସ୍ତ ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାୟ ଏକ ଲକ୍ଷ ଅଯୋଗ୍ୟ ହିତାଧିକାରୀ ନିଜ ଆକାଉଣ୍ଟରୁ ଏହି ଟଙ୍କା ଉଠାଇ ସାରିଥିବା ଜଣାପଡ଼ିଛି । ସେମାନଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏପ୍ରିଲର ପ୍ରଥମ ସପ୍ତାହରେ ବ୍ୟାଙ୍କ ପକ୍ଷରୁ ଏଭଳି ଭୁଲ୍‌ ହୋଇଥିଲା । ଏହାର ପରବର୍ତ୍ତି ସପ୍ତାହରେ ବ୍ୟାଙ୍କ ନିଜ ଭୁଲ୍‌ ଜାଣିବାକୁ ପାଇଥିଲା । ତେବେ ଏଭଳି ଏକ ବଡ଼ ତ୍ରୁଟି ପାଇଁ କିଏ ଦାୟୀ ? ଏନେଇ ଏବେ ତଦନ୍ତ ଆରମ୍ଭ ହୋଇଛି ।

ଲକ୍‌ ଡାଉନ୍‌ ଯୋଗୁଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଗରିବ ମହିଳାଙ୍କ ଜନଧନ ଆକାଉଣ୍ଟକୁ ୫୦୦ ଟଙ୍କା ଲେଖାଏଁ ପଠାଯିବାର ଘୋଷଣା କରାଯାଇଥିଲା । ଏହି ରାଶି ହିତାଧିକାରୀଙ୍କୁ କ୍ରମାଗତ ତିନି ମାସ ପର୍ଯ୍ୟନ୍ତ ଦିଆଯିବ । ଯାହାର ପ୍ରଥମ କିସ୍ତି ଏପ୍ରିଲରେ ରିଲିଜ୍‌ କରାଯାଇଥିଲା ।

ଏସ୍‌ବିଆଇ ପ୍ରାୟୋଜିତ ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କରେ ୯ ଲକ୍ଷ ଜନଧନ ଆକାଉଣ୍ଟ ରହିଛି । କିନ୍ତୁ କେନ୍ଦ୍ରର ଗାଇଡ୍‌ଲାଇନ୍‌ ଅନୁଯାୟୀ କେବଳ ୫.୧୫ ଲକ୍ଷ ଲୋକ ଏହି ରିଲିଫ୍‌ ଟଙ୍କାର ହିତାଧିକାରୀ ଅଟନ୍ତି । ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଭି.ଏସ୍ ମହେଶଙ୍କ କହିବାନୁଯାୟୀ, ଯେଉଁ ମହିଳାଙ୍କ ଆକାଉଣ୍ଟ ୨୦୧୪ ଅଗଷ୍ଟ ୧ ପରେ ଖୋଲାଯାଇଛି, ସେମାନେ ହିଁ ଏହି ୫୦୦ ଟଙ୍କାର ପ୍ରକୃତ ହିତାଧିକାରୀ । କିନ୍ତୁ ଭୁଲ୍‌ ବସତଃ ସବୁ ଶୂନ୍ୟ ଆକାଉଣ୍ଟଧାରୀଙ୍କ ଖାତାକୁ ଟଙ୍କା ଚାଲିଯାଇଛି । ତ୍ରୁଟି ସାମ୍ନାକୁ ଆସିବା ପରେ ୧୬ କୋଟି ଟଙ୍କା ଫେରସ୍ତ ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave a Reply