ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣା

ହାଇଦ୍ରାବାଦ: ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣା । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି । ମେଡକ ଜିଲ୍ଲାର ତୁପ୍ରାନ ଅଞ୍ଚଳର ରାବେଲି ନିକଟରେ ଭାରତୀୟ ବାୟୁସେନାର ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ବିମାନରେ ଥିବା ଜଣେ ଟ୍ରେନି ପାଇଲଟ ସହ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ଘଟିଛି । ଡିଣ୍ଡିଗୁଲ ଏୟାରଫୋର୍ସ ଏକାଡେମୀରୁ ଏହି ବିମାନ ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିଥିଲା । ବିମାନ ଦୁର୍ଘଟଣାକୁ ନେଇ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିମାନ ଦୁର୍ଘଟଣାରେ କୌଣସି ସାଧାରଣ ଧନଜୀବନ କ୍ଷୟକ୍ଷତି ଘଟିନାହିଁ ।

ଏହା ପୂର୍ବରୁ ଗତ ଅକ୍ଟୋବରରେ ମହାରାଷ୍ଟ୍ରର ପୁଣେ ନିକଟରେ ଏକ ଟ୍ରେନ ବିମାନ ଦୁର୍ଘଟଣା ଘଟିଥିଲା । ତେବେ ଏହି ବିମାନଟି ଏକ ଘରୋଇ ଫ୍ଲାଇଟ୍ ଏକାଡେମୀର ବିମାନ ଥିଲା । ଏଥିରେ ଜଣେ ପାଇଲଟଙ୍କ ସହ ଜଣେ ସାଧାରଣ ନାଗରିକ ଗୁରୁତର ଆହତ ହୋଇଥିଲେ । ପୂର୍ବରୁ ଗତ ଜୁନରେ ଭାରତୀୟ ବାୟୁସେନାର ଏକ କିରାନ ଟ୍ରେନର ବିମାନ ଦୁର୍ଘଟଣା ଘଟିଥିଲା । କର୍ଣ୍ଣାଟକର ଚାମରାଜନଗରେ ଘଟିଥିଲା ଏ ଦୁର୍ଘଟଣା । ଏଥିରେ ଥିବା ଦୁଇ ପାଇଲଟ କୌଶଳ କ୍ରମେ ବାହାରି ଯାଇ ପାରାଚୁଟ ଜରିଆରେ ସୁରକ୍ଷିତ ଥିଲେ। ମେ ମାସରେ ମଧ୍ୟ ଏୟାରଫୋର୍ସର ମିଗ୍ ୨୧ ବିମାନ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।