ବିହାର : ଚଳିତ ବିହାର ନିର୍ବାଚନରେ କଣ ହେବ ମୁସଲିମ ଭୋଟର ମତିଗତି। ବିହାରରେ ମୁସଲିମ-ଯାଦବ ଭୋଟ ବ୍ୟାଙ୍କ ଥିଲା ଆରଜେଡିର ସମ୍ବଳ। ଏହାକୁ ଲକ୍ଷ୍ୟ କରି ତେଜସ୍ବୀ ଯାଦବ ଏହି ଦୁଇ ବର୍ଗର ଭୋଟ ଲାଗି ବିଶେଷ ଆଶାବାଦୀ ଅଛନ୍ତି। ହେଲେ ମହାଗଠବନ୍ଧନର ସ୍ବପ୍ନକୁ ଚୁରମାର କରିପାରନ୍ତି ଓବେସିଙ୍କ ଏଆଇଏମଆଇଏମ। ଚଳିତ ନିର୍ବାଚନରେ ଅସଦୁଦ୍ଦିନ ଓବେସିଙ୍କ ଏଆଇଏମଆଇଏମ ନେତୃତ୍ବାଧୀନ ଗ୍ରାଣ୍ଡ ଡେମୋକ୍ରାଟିକ ଆଲାଏନ୍ସ ୬୪ ଜଣ ମୁସଲିମଙ୍କୁ ପ୍ରାର୍ଥୀ କରିଥିବାବେଳେ ପ୍ରଶାନ୍ତ କିଶୋରଙ୍କ ଜନସୂରାଜ ପାର୍ଟି ୪୦ ମୁସଲିମ ପ୍ରାର୍ଥୀ ଦେଇଛି ।
ଚଳିତ ନିର୍ବାଚନରେ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି, ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଏଜେପି ସହ ମିଶି AIMIM ଗ୍ରାଣ୍ଡ ଡେମୋକ୍ରାଟିକ ଆଲାଏନ୍ସ ଗଠନ କରିଛି ଯାହା କି ମହାଗଠବନ୍ଧନ ଲାଗି ସଙ୍କଟ ସୃଷ୍ଟି କରିବ। ବିହାରରେ ମୁସଲିମଙ୍କ ସଂଖ୍ୟା ପ୍ରାୟ ୨ କୋଟି ୩୦ ଲକ୍ଷ। ଅର୍ଥାତ ମୋଟ ଜନସଂଖ୍ୟାର ୧୭.୭ ପ୍ରତିଶତ। ରାଜ୍ୟର ମୋଟ ୨୪୩ ଆସନରୁ ପ୍ରାୟ ୭୦ ଆସନରେ ମୁସଲମାନଙ୍କ ପ୍ରାଧାନ୍ୟ ରହିଛି। କତିହାରରେ ୪୩%, କିଷନଗଞ୍ଜରେ ୬୮%, ଆରାରିଆରେ ୪୨%, ପୂର୍ଣ୍ଣିଆରେ ୩୮% ମୁସଲିମ ରହିଛନ୍ତି। ଗତ ୨୦୨୦ ନିର୍ବାଚନରେ ମହାଗଠବନ୍ଧନ ଲାଗି ବିପଦ ସୃଷ୍ଟି କରିଥିଲା AIMIM। ୨୦୨୦ରେ AIMIM ୫ଟି ଆସନ ଜିତିଥିଲା ହେଲେ ସେମାନଙ୍କ ମଧ୍ଯରୁ ୪ ଜଣ ଆରଜେଡିକୁ ଚାଲିଯାଇଥିଲେ। AIMIM ଭଲ ପ୍ରଦର୍ଶନ କରି ନଥିଲେ ବି ଏହା ଯେ ମହାଗଠବନ୍ଧନ ଲାଗି ଘାଟା ସୃଷ୍ଟି କରିଥିଲା ଏହା ସ୍ପଷ୍ଟ। ଚଳିତ ନିର୍ବାଚନରେ ବି ବିପଦ ସୃଷ୍ଟି କରିପାରେ AIMIM।

