ଧର୍ମଶାଳା: ବିଶ୍ବକପରେ ଭାରତର ଲଗାତାର ପଞ୍ଚମ ବିଜୟ । ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଆଇସିସି ଇଭେଣ୍ଟରେ ମାତ ଦେଲା ଟିମ୍ ଇଣ୍ଡିଆ । ଏହା ସହିତ ୨୦୧୯ ବିଶ୍ବକପର ବଦଲା ନେଇଛି ଭାରତ । ଧର୍ମଶାଳାରେ କଡ଼ା ମୁକାବିଲାରେ ଭାରତର ଦମଦାର ବିଜୟ । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ବିଶ୍ବକପରେ ଅପରାଜେୟର ରେକର୍ଡ ରଖିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ମେନ୍ ଇନ ବ୍ଲୁ । ମ୍ୟାଚରେ ଦେଖିବାକୁ ମିଳିଲା ବିରାଟ ଓ ଜାଡେଜା ଜଲଓ୍ବା । ବିରାଟ ୧୦୪ ବଲ ଖେଳି ୯୫ ରନ କରିଥିବାବେଳେ ୪୪ ବଲରେ ୩୯ ରନ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୧୯ ବିଶ୍ବକପ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ହିଁ ବିଦା କରିଥିଲା । ଅନ୍ୟପଟେ ଗତ ୨୦ ବର୍ଷ ଧରି ଆଇସିସି ଇଭେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନଥିଲା ଭାରତ  ।

ଚଳିତ ବିଶ୍ବକପରେ ଏହି ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଥି ଟିମ ଇଣ୍ଡିଆ  । ବିଶ୍ବକପରେ ନିଜର ପଞ୍ଚମ ମୁକାବିଲାରେ ଭାରତ ଟସ ଜିତି ବୋଲିଂ କରିଥିଲା । ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା  । ନ୍ୟୁଜିଲାଣ୍ଡ ଦଳୀୟ ସ୍କୋର ୧୯ ହୋଇଥିବାବେଳେ  ଓପନର କନଓ୍ବେ ଓ ଓ୍ବିଲୟଙ୍ଗ ପାଭିଲିଅନ ଫେରିଥିଲେ । ପରେ ରାଚିନ ରବୀନ୍ଦ୍ର ଓ ଡାରିଲ ମିସେଲ ଲଢୁଆ ବ୍ୟାଟିଂ କରି ଦଳକୁ ଆଗେଇ ନେଇଥିଲେ  ।  ମିସେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ  । ରବୀନ୍ଦ୍ର ୭୫ ରନ କରି ପାଭିଲିଅନ ଫେରିଥିଲେ । ଭାରତୀୟ ବୋଲରମାନେ ଭଲ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ଭାଙ୍ଗିବାକୁ ସଫଳ ହୋଇଥିଲେ । ଫଳରେ ବଜଡ଼ ସ୍କୋର ଅଭିମୁଖେ ଯାଉଥିବା ନ୍ୟୁଜିଲାଣ୍ଡ ୨୭୩ ରନରେ ଅଲଆଉଟ ହୋଇଯାଇଥିଲା ।

ଭାରତର ମହମ୍ମଦ ସାମ୍ମି ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୨ଟି ଏବଂ ସିରାଜ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ  ଓ୍ବିକେଟ ନେଇଥିଲେ । ୨୭୪ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । କ୍ୟାପଟେନ ରୋହିତ  ଶର୍ମା ଓ ଶୁବମନ ଗିଲ୍ ଭଲ ଆରମ୍ଭ କରିଥିଲେ  । ଦଳୀୟ ସ୍କୋର ୭୧ ରନ ଥିବାବେଳେ ରୋହିତ ଶର୍ମା ୪୬ ରନ କରି ପାଭିଲିଅନ ଫେରିଥିଲେ । ପରେ ଗିଲ ମଧ୍ୟ ୨୬ ରନ କରି ଆଉଟ ହୋଇଥିଲେ । ଶ୍ରେୟସ ଆୟାର ୩୩  ଓ କେଏଲ ରାହୁଲ ୨୭ ରନ କରି ପାଭିଲିଅନ ଫେରିଥିଲେ । ରୋଚକ ଭାବରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୨ରନ କରି ରନ ଆଉଟ୍ ହୋଇଥିଲେ । ପରେ ବିରାଟ କୋହଲି ଓ ଜାଡେଜା ମଇଦାନ ସମ୍ଭାଳିବା ସହ ଦଳକୁ ବିଜୟ ଅଭିମୁଖେ ଆଗେଇ ନେଇଥିଲେ । କୋହଲି ଆଉଟ ହେବା ପରେ ଜାଡେଜା ଏକ ଚୌକା ମାରି ଦଳକୁ ବିଜୟ କରିଛନ୍ତି ।