ହାର୍ଦ୍ଦିକଙ୍କ ଅନୁପସ୍ଥିତି ଟିମ୍ ପାଇଁ ଆଣିପାରେ ଏହିସବୁ ସଙ୍କଟ

ନୂଆଦିଲ୍ଲୀ: ଚଳିତ ବିଶ୍ବକପରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ୭ ମ୍ୟାଚରୁ ୭ ବିଜୟ ସହ ଅପରାଜେୟ ରହିଛି । କିନ୍ତୁ ଏଭଳି ଏକ ସମୟରେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ । ଶନିବାର ହାର୍ଦ୍ଦିକ ବିଶ୍ବକପରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି ପ୍ରସିଦ୍ଧ କ୍ରିଷ୍ଣା। ପାଣ୍ଡ୍ୟା ଜଣେ ଦକ୍ଷ ଅଲରାଉଣ୍ଡର ହୋଇଥିବାବେଳେ ଦଳ ସନ୍ତୁଳିତ ଭାବେ ପ୍ରଦର୍ଶନ କରୁଥିଲା । ଏପରିକି ପୂର୍ବରୁ ଅନେକ ମ୍ୟାଚରେ ପାଣ୍ଡ୍ୟା ଭାରତକୁ ଏକାକି ଜିତାଇଛନ୍ତି । ବଡ଼ ବଡ଼ ବୋଲରଙ୍କୁ ଧୂଳି ଚଟାଇବାର ଦକ୍ଷତା ପାଣ୍ଡ୍ୟାଙ୍କ ପାଖରେ ରହିଛି । ଏଣୁ ତାଙ୍କ ସ୍ଥାନରେ ଦଳ ଏବେ ଜଣେ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କୁ ଖେଳାଉଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ଆହତ ହେବା ପରେ ମହମ୍ମଦ ସାମି ଏବଂ ସୂର୍ଯ୍ୟକୁମାର ଯାଦବ ଖେଳୁଛନ୍ତି ।

ସେପଟେ ସାର୍ଦ୍ଧୁଲ ଠାକୁର ମଧ୍ୟ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇନାହାନ୍ତି । ସାମି ଦମଦାର ପ୍ରଦର୍ଶନ କରୁଥିବାବେଳେ ସୂର୍ଯ୍ୟ ଏଯାବତ ସେମିତି ଆଖିଦୃଖିଆ ପ୍ରଦର୍ଶନ କରିନାହାନ୍ତି । ଦଳ ୫ ଜଣ ବୋଲରଙ୍କୁ ଦଳରେ ସ୍ଥାନ ନଦେଲେ ଅସୁବିଧାର ସମ୍ମୁଖୀନ ହୋଇପାରେ । ସେପଟେ ଷଷ୍ଠ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଦଳର ବ୍ୟାଟିଂ ଭାର ସମ୍ଭାଳୁଛନ୍ତି । ଭାରତ ନିଜର ପରବର୍ତ୍ତୀ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଇଦାନକୁ ଓହ୍ଲାଇବ । ଦକ୍ଷିଣ ଆଫ୍ରିକା ଏବେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଦମଦାର ଫର୍ମରେ ଅଛନ୍ତି ଖେଳାଳି । ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକରେ ଖେଳିଥିବା ଏଯାବତ ସମସ୍ତ ମ୍ୟାଚରେ ପ୍ରତିପକ୍ଷଙ୍କୁ ମାତ ଦେଇ ଆସିଛନ୍ତି । ଏଣୁ ରବିବାର ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି ।