ବାତ୍ୟା ପାଇଁ ହୋଟେଲରେ ଅଟକ ଟିମ୍ ଇଣ୍ଡିଆ, ଡିନର ପାଇଁ ଧାଡ଼ିରେ ଛିଡ଼ା ହେଲେ ଖେଳାଳୀ

1 min read

ନୂଆଦିଲ୍ଲୀ : ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼। ଓ୍ବେଷ୍ଟଇଣ୍ଡିଜ୍‌ରେ ଫସିଯାଇଛି ଭାରତୀୟ ଦଳ । ଫଳରେ ସେମାନେ ବାରବାଡୋସରେ ଅଟକିଛନ୍ତି । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନ ଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି ।

ଟି-୨୦ ବିଶ୍ବକପ୍‌ରେ ୨ୟ ଥର ଚାମ୍ପିୟନ ହେବା ପରେ ଭାରତୀୟ ଦଳ ସମସ୍ୟାରେ ଫସିଯାଇଛି । ମିଳିଥିବା ସୂଚନା ଅନୁସାରେ ବାରବାଡୋସ୍‌ର ଏକ ହୋଟେଲରେ ଫସିଛନ୍ତି ଭାରତୀୟ ଦଳର ଖେଳାଳି । ପ୍ରବଳ ଝଡ ତୋଫାନ କାରଣରୁ ସେଠାରୁ ଆସିବା ସମ୍ଭବପର ହେଉ ନାହିଁ । ଫାଇନାଲ ମ୍ୟାଚ୍‌ ପରେ ପରେ ସେଠାରେ ପ୍ରବଳ ବାତ୍ୟା ହେଉଥିବା ସୂଚନା ମିଳିଛି । ଯାହା ଫଳରେ ଏକ ହୋଟେଲ ଭିତରେ ଫସି ରହିଛନ୍ତି ଭାରତୀୟ ଖେଳାଳି । ଏପରିକି ଖେଳାଳିମାନଙ୍କୁ ଧାଡିରେ ଛିଡାହୋଇ କାଗଜ ପ୍ଲେଟରେ ଭୋଜନ କରିବାକୁ ପଡିଥିଲା ସୂଚନା ରହିଛି । ବାରବାଡୋସରେ ବାତ୍ୟା ପାଇଁ କର୍ଫ୍ୟୁ ପରି ପରିବେଶ ସୃଷ୍ଟି ହୋଇଛି

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାରବାଡୋସ୍‌ ନିକଟରେ ଥିବା ବିରେଲ ଦ୍ବୀପରେ ପ୍ରବଳ ଝଡ ତୋଫାନ ଜାରି ରହିଛି । ଯାହା ଫଳରେ ସେଠାରୁ ସମସ୍ତ ବିମାନ ଉଡାଣ ବାତିଲ କରାଯାଇଛି । ଭାରତୀୟ ଦଳ ଫେରିବାକୁ ଥିବା ଫ୍ଲାଇଟ୍‌ ବାତ୍ୟାରେ ଫସିଯିବାର ସମ୍ଭାବନା ଥିବାରୁ ବିମାନ ଉଡାଣ ଭରିନାହିଁ ।

ବାରବାଡୋସ୍‌ ପ୍ରଧାନମନ୍ତ୍ରୀ ମିଆ ମୋଟଲି ଘୋଷଣା କରିଛନ୍ତି ଯେ, ଘୂର୍ଣ୍ଣିବଳୟ ଯୋଗୁ ଗ୍ରାଣ୍ଟଲି ଆଡାମସ୍ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିବ। ଯାହା ଫଳରେ ସେଠାରୁ କୌଣସି ବିମାନ ଉଡାଣ ଭରିନଥିବା ବେଳେ ଅବତରଣ ମଧ୍ୟ କରିବାକୁ ଅନୁମତି ମିଳିନାହିଁ । ତେବେ ଭାରତୀୟ ଦଳ କେବେ ବାହାରିବ ତାହା କହିବା ମୁସ୍କିଲ । ଖବର ମୁତାବକ ଟିମ୍ ଇଣ୍ଡିଆ ବାରବାଡୋସ୍‌ରେ ଆହୁରି ପ୍ରାୟ ୩୬ ରୁ ୪୮ ଘଣ୍ଟା ଫସିରହିପାରେ  ।