ଅଜବ ରେକର୍ଡ; ଓ୍ୱାଣ୍ଡରର୍ସରେ ଭାରତ ଖେଳିଛି ୬ ମ୍ୟାଚ, ପ୍ରତି ମ୍ୟାଚରେ ବଦଳାଇଛି ଅଧିନାୟକ

1 min read

ଜୋହାନ୍ସବର୍ଗ: ଜାନୁଆରୀ ୩ରୁ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ଚାଲୁଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଯାହା ଫଳରେ ପ୍ରଥମ ଇନିଂସରେ ଭାରତ ମାତ୍ର ୨୦୨ ରନ କରିଥିଲା । ତେବେ ଏହି ମ୍ୟାଚରେ ପିଠିରେ ଆଘାତ କାରଣରୁ ଖେଳିନଥିଲେ ବିରାଟ କୋହଲି । ଯାହା ଫଳରେ ଦ୍ୱିତୀୟ ମ୍ୟାଚରେ ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ କେଏଲ ରାହୁଲ । ବିରାଟ ଏହି ମ୍ୟାଚରେ ନ ଖେଳିବା ଫଳରେ ଏକ ଅଜବ ରେକର୍ଡ ସୃଷ୍ଟି ହୋଇଛି ।

ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ଭାରତ ତା’ର ଷଷ୍ଠ ମ୍ୟାଚ ଖେଳୁଛି । ତେବେ ଏହି ଛଅଟି ମ୍ୟାଚରେ ଭାରତ ପ୍ରତି ମ୍ୟାଚରେ ଭିନ୍ନ ଭିନ୍ନ ଅଧିନାୟକଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିଲା । ଯଦି ବିରାଟ କୋହଲି ଏହି ମ୍ୟାଚ ଖେଳିଥାନ୍ତେ ତେବେ ଏହି ରେକର୍ଡ ହୋଇପାରିନଥାନ୍ତା । କାହିଁକି ନା ବିରାଟ ୨୦୧୮ରେ ଜୋହାନ୍ସବର୍ଗର ଓ୍ୱାନର୍ଡସରେ ବିରାଟ ଅଧିନାୟକତ୍ୱ କରିଥିଲେ ।

୧୯୯୨ ମସିହାରେ ଭାରତ ପ୍ରଥମ ଥର ପାଇଁ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ପ୍ରଥମ ଟେଷ୍ଟ ଖେଳିଥିଲା । ଏହି ଟେଷ୍ଟରେ ଅଧିନାୟକତ୍ୱ ଭାରା ସମ୍ଭାଳିଥିଲେ ମହମ୍ମଦ ଅଜହରୁଦ୍ଦିନ। ଏହା ପରେ ସେହି ଗ୍ରାଉଣ୍ଡରେ ଭାରତ ୧୯୯୭ରେ ଦ୍ୱିତୀୟ ମ୍ୟାଚ ଖେଳିଥିଲା, ଯେଉଁ ମ୍ୟାଚରେ ଅଧିନାୟକ ଥିଲେ ସଚିନ ତେନ୍ଦୁଲକର । ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ଏହି ଦୁଇ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ୨୦୦୬ରେ ଖେଳାଯାଇଥିଲା । ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚ ଖେଳିଥିଲା । ସେହିପରି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୧୩ରେ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ପଞ୍ଚମ ମୁକାବିଲା ଖେଳିଥିଲା । ଏହା ପରେ ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସରେ ଖେଳିଥିଲେ ଏବଂ ୬୩ ରନରେ ବିଜୟ ହାସଲ କରିଥିଲେ ଟିମ୍ ଇଣ୍ଡିଆ ।

 

Leave a Reply