ତିରୁଅନନ୍ତପୁରମର ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ଟିମ୍ ଇଣ୍ଡିଆର ଖେଳାଳି

1 min read

ତିରୁଅନନ୍ତପୁରମ: ତିରୁଅନନ୍ତପୁରମରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ସହରର ପ୍ରସିଦ୍ଧ ମନ୍ଦିର ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ପହଞ୍ଚିଛନ୍ତି । ମ୍ୟାଚ୍ ପୂର୍ବରୁ ମନ୍ଦିର ଯାଇ ପଦ୍ମନାଭସ୍ୱାମୀଙ୍କ ଆଶିଷ ଭିକ୍ଷା କରିଛନ୍ତି ଖେଳାଳିମାନେ । ଏମାନଙ୍କ ମଧ୍ୟରେ ଟପ ଅର୍ଡର ବ୍ୟାଟର ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ବୋଲର ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ୱାସିଂଟନ ସୁନ୍ଦର ସାମିଲ ଥିଲେ ।

ଏମାନଙ୍କ ସହ ବୋଲିଂ କୋଚ ପାରସ ମହାବରେ ମଧ୍ୟ ମନ୍ଦିର ଯାଇଥିଲେ । ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ଛିଡ଼ା ହୋଇ ଫଟୋ ଉଠାଉଥିବାର ଟିମ ଇଣ୍ଡିଆର ଖେଳାଳିଙ୍କ ଫଟୋ ଭାଇରାଲ୍ ହୋଇଛି । ଫଟୋରେ ମନ୍ଦିରର ପୂଜାରିଙ୍କ ସମେତ ଭାରତୀୟ କ୍ରିକେଟ ଟିମର ଖେଳାଳି ମଧ୍ୟ ନଜର ଆସିଛନ୍ତି । ସେହିପରି ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିଚରେ ବ୍ରେକଫାଷ୍ଟ କରିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ଦୁଇ ମୁକାବିଲା ଜିତି ଭାରତ ସିରିଜରେ ୨-୦ରେ ଆଗୁଆ ଅଛି । ତୃତୀୟ ଦିନିକିଆ ମ୍ୟାଚ୍ ରବିବାର ମଧ୍ୟାହ୍ନ ୧ଟା ୩୦ ମିନିଟରେ ଖେଳାଯିବ ।