ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିବା ପରେ ଆସିଲା ବଡ଼ ଖବର
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଭାରତ ପାକିସ୍ତାନ ଯିବାକୁ ବିସିସିଆଇ ପକ୍ଷରୁ ସିଧାସିଧା ମନା କରାଯିବାପରେ ଏବେ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫେବୃଆାରୀ ୧୯ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ପକ୍ଷରୁ ଏଯାବତ କାର୍ଯ୍ୟସୂଚୀ ଘୋଷଣା କରାଯାଇନାହିଁ । ୧୧ ନଭେମ୍ବରରେ ଲାହୋରରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ ଏନେଇ କୌଣସି ସ୍ପଷ୍ଠୀକରଣ ମିଳିନାହିଁ । ପାକିସ୍ତାନ ପକ୍ଷରୁ ଏବେ କୁହାଯାଉଛି କି, ସେମିତି କୌଣସି କାର୍ଯ୍ୟକ୍ରମ ନଥିଲା । ଏହା କେବଳ ଏକ ଗୁଜବ । ତେବେ ବିସିସିଆଇ ପକ୍ଷରୁ ପାକିସ୍ତାନ ଯିବାକୁ ମନା କରିବା ପରେ ଏବେ ହାଇବ୍ରିଡ୍ ମଡେଲରେ ଖେଳ ହେବ ବୋଲି କୁହାଯାଉଛି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଯଦି ବିଶ୍ବାସ କରାଯାଏ ତାହେଲେ ହାଇବ୍ରିଡ୍ ମଡେଲରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ମ୍ୟାଚ ଗୁଡ଼ିକ ୟୁଏଇରେ ଖେଳାଯିବ । ୨୦୨୩ ଏସିଆ କପ ମଧ୍ୟ ପାକିସ୍ତାନ ଆୟୋଜନ କରିଥିବାବେଳେ ଭାରତ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା । କାରଣ ପାକିସ୍ତାନ ଯିବାକୁ ସରକାର ସିଧାସଳଖ ମନା କରି ଦେଇଥିଲେ । ଏବେ ମଧ୍ୟ ପାକିସ୍ତାନ ଯିବା ଉପରେ ପ୍ରତିବନ୍ଧକ ଲାଗିଛି ।