ବିରାଟଙ୍କ ପରେ କିଏ ଧରିବ ଟେଷ୍ଟର ମଙ୍ଗ? କେଉଁ ଖେଳାଳି ଅଛନ୍ତି କ୍ୟାପଟେନ ରେସରେ ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଅଧିନାୟକ ବିରାଟ କୋହଲି ଛାଡିଛନ୍ତି ଟେଷ୍ଟ ଦଳର ଅଧିନାୟକ ପଦ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୨-୧ରେ ଭାରତ ପରାଜିତ ହେବା ପରେ ଅଧିନାୟକ ପଦ ଛାଡିଛନ୍ତି କୋହଲି । ଟି-୨୦ରେ ଅଧିନାୟକ ପଦ ଛାଡିବା ପରେ ଦିନିକିଆ ଅଧିନାୟକ ପଦରୁ ବିରାଟଙ୍କୁ ହଟାଇ ଦିଆଯାଇଥିଲା । ଆଉ ଏବେ ଟେଷ୍ଟ ଦଳର ଅଧିନାୟକ ପଦ ମଧ୍ୟ ସେ ଛାଡିଛନ୍ତି । ବିରାଟ କୋହଲି ଟେଷ୍ଟରେ ଅଧିନାୟକ ପଦ ଛାଡିବା ପରେ ବିସିସିଆଇ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ଅନିଲ କୁମ୍ବଲେ ଓ ମହେନ୍ଦ୍ର ସିଂ ଧୋନିଙ୍କ ପରି କୋହଲି ଟେଷ୍ଟରୁ ଅଧିନାୟକ ପଦ ଛାଡିବା ପରେ ବିସିସିଆଇ ପାଖରେ ଏମିତି କୌଣସି ବିକଳ୍ପ ଖେଳାଳି ନାହାନ୍ତି ଯାହାଙ୍କ ଉପରେ ଦୀର୍ଘ ସମୟ ପାଇଁ ଟେଷ୍ଟ ଦଳର ଅଧିନାୟକ ପଦ ନ୍ୟସ୍ତ କରିପାରିବେ । ଯଦିଓ ଏବେବି ଦଳରେ ଏମିତି କିଛି ଖେଳାଳି ଅଛନ୍ତି ଯିଏକି ଅଧିନାୟକ ହେବାର ରେସରେ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଟେଷ୍ଟ ଦଳର ଅଧିନାୟକ ରେସ୍ କେଉଁ କେଉଁ ଖେଳାଳି ରହିଛନ୍ତି ।

ରୋହିତ ଶର୍ମା: ଟି-୨୦ ଓ ଦିନିକିଆରେ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ହ୍ୱାଇଟ ବଲ କ୍ରିକେଟର ଅଧିନାୟକ ଭାବେ ନିୟୋଜିତ କରାଯାଇଥିଲା । ଏଥିସହ ଟେଷ୍ଟ ଦଳର ଉପ-ଅଧିନାୟକ ପଦ ମଧ୍ୟ ରୋହିତଙ୍କୁ ମିଳିଥିଲା । ଏହି ପ୍ରକ୍ରିୟାରେ ଅଧିନାୟକଙ୍କ ପରେ ଉପ-ଅଧିନାୟକଙ୍କୁ ଅଧିନାୟକ ପଦ ମିଳିଥାଏ ଅର୍ଥାତ ରୋହିତ ଶର୍ମାଙ୍କୁ ଅଧିନାୟକ ପଦ ମିଳିବ । ଏଥିସହ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ରେକର୍ଡ ମଧ୍ୟ ଭଲ ରହିଛି । ଏହା ସହିତ ବିଗତ ଦୁଇ ବର୍ଷ ମଧ୍ୟରେ ଟେଷ୍ଟ ଖେଳାଳି ଭାବରେ ରୋହିତ ଦମଦାର ପ୍ରଦର୍ଶ କରି ଆସିଛନ୍ତି । ବିରାଟ କୋହଲି ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଚାଲୁଥିବା ମଧ୍ୟରେ ଅଧିନାୟକ ପଦ ଛାଡିଛନ୍ତି । ତେଣୁ ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ରୋହିତଙ୍କୁ ଅଧିନାୟକ ପଦ ମିଳିପାରେ । କିନ୍ତୁ ରୋହିତଙ୍କ ପାଇଁ ତାଙ୍କ ବୟସ ବାଧକ ହେବାକୁ ଯାଉଛି । କାରଣ ବର୍ତ୍ତମାନ ରୋହିତ ୩୪ ବର୍ଷ ବୟସର ଅଟନ୍ତି ଏବଂ ରୋହିତଙ୍କ ସହ ପ୍ରାୟତଃ ଫିଟନେସକୁ ନେଇ ସବୁବେଳେ ଏକ ଦ୍ୱନ୍ଦ ରହିଥାଏ । ରୋହିତଙ୍କର ଏହା ହେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଏସବୁକୁ ଧ୍ୟାନରେ ରଖି ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ ।

କେଏଲ ରାହୁଲ: ୩୦ ବର୍ଷିଆ କେଏଲ ରାହୁଲ ଭାରତୀୟ ଦଳର ଫ୍ୟୁଚର କ୍ୟାପଟେନ ବୋଲି ବିଶ୍ୱାସ କରାଯାଉଛି । ଟି-୨୦ ଓ ଦିନିକିଆରେ ତାଙ୍କୁ ରୋହିତ ଶର୍ମାଙ୍କ ଡେପୁଟି ଭାବରେ ନିଯୁକ୍ତି ଦିଆଯାଇଛି । ଏଥିସହ ଟେଷ୍ଟରେ ମଧ୍ୟ ବିରାଟ ଓ ରୋହିତଙ୍କ ଅନୁପସ୍ଥିତିରେ ରାହୁଲଙ୍କ ପାଖରେ ଦାୟିତ୍ୱ ରହିଥାଏ । କେଏଲ ରାହୁଲଙ୍କ ପାଖରେ ବୟସ ମଧ୍ୟ ରହିଛି ଏବଂ ଖେଳାଳି ଭାବରେ ମଧ୍ୟ ରାହୁଲ ଜଣେ ଅନୁଭବୀ ଖେଳାଳି ମଧ୍ୟ । ତେଣୁ ରାହୁଲଙ୍କୁ ମଧ୍ୟ ଟେଷ୍ଟ ଦଳର ଅଧିନାୟକ କରିବାକୁ ଚିନ୍ତା କରିପାରେ ବିସିସିଆଇ ।

ରବିଚନ୍ଦ୍ରନ ଅଶ୍ୱିନୀ: ଟେଷ୍ଟ ଦଳର ଅଧିନାୟକ ରେସରେ ମଧ୍ୟ ଅଛନ୍ତି ଭାରତୀୟ ଦଳର ସିନିଅର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ । ଯେତେବେଳେ ରାହୁଲ ଦ୍ରାବିଡ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଥିଲେ ସେତେବେଳେ ବିସିସିଆଇ ତୁରନ୍ତ ଅନିଲ କୁମ୍ବଲେଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରିଥିଲେ । ସେ ସମୟରେ କୁମ୍ବଲେଙ୍କ ଅଧିନାୟକତ୍ୱରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ଠିକ୍ ସେହିପରି ବିସିସିଆଇ ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପରି ଅନୁଭବୀ ଖେଳାଳିଙ୍କୁ ଅଧିନାୟକ ପଦରେ ନିଯୁକ୍ତି ଦେଇପାରେ । କିନ୍ତୁ ରୋହିତଙ୍କ ପରି ଅଶ୍ୱିନୀଙ୍କ ପାଇଁ ପ୍ରତିବନ୍ଧକ ସାଜୁଛି ତାଙ୍କ ବୟସ । ଏଥିସହ ବିଦେଶୀ ମାଟିରେ ତାଙ୍କ ବୋଲିଂ ରେକର୍ଡ ମଧ୍ୟ ଭଲ ନାହିଁ । ତେଣୁ ଯଦି ଅଧିନାୟକ ଭାବରେ ଅଶ୍ୱିନୀ ଖେଳନ୍ତି ତେବେ ବିଦେଶୀ ମାଟିରେ ଆଉ ଏକ ସ୍ପିନର ଖେଳାଇବା ସହଜ ହେବ ନାହିଁ ।

ଋଷଭ ପନ୍ତ: ଟେଷ୍ଟରେ ଅଧିନାୟକ ରେସରେ ଏକ ନୂଆ ନାମ ଯୋଡି ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ହେଉଛନ୍ତି ଭାରତୀୟ ଦଳର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ଓ ଯୁବରାଜ ସିଂ ଋଷଭ ପନ୍ତଙ୍କୁ ଅଧିନାୟକ କରିବା ପାଇଁ କହିଛନ୍ତି । ସୁନିଲ ଗାଭାସ୍କର କହିଛନ୍ତି କି ଯଦି ଋଷଭ ପନ୍ତଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରାଯାଏ ତେବେ ତାଙ୍କ ଖେଳରେ ମଧ୍ୟ ସୁଧାର ଆସିବ ଏବଂ ଦୀର୍ଘ ସମୟ ଧରି ଦଳ ସହ ରହିପାରିବେ । କିନ୍ତୁ ୨୪ ବର୍ଷିୟ ଋଷଭ ପନ୍ତଙ୍କୁ ଏବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ମିଳିବା କଷ୍ଟକର ହେବ । ଯଦିଓ ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅଧିନାୟକତ୍ୱ କରି ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଭାବରେ ତାଙ୍କ ଏବେ ନିଯୁକ୍ତି ଦେବା ବିସିସିଆଇ ପକ୍ଷରେ କଷ୍ଟକର ହୋଇପାରେ ।

ଜଶପ୍ରୀତ ବୁମ୍ରା: ଭାରତୀୟ କ୍ରିକେଟ ଟିମର ଅଧିନାୟକ କୌଣସି ବୋଲରଙ୍କ ପାଖରେ ରହିବା ବହୁତ କମ୍ ଦେଖାଯାଇଛି । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ଉପ-ଅଧିନାୟକ ପଦ ଜଶପ୍ରୀତ ବୁମ୍ରାଙ୍କୁ ମିଳିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଗତ ଚାରି ପାଞ୍ଚ ବର୍ଷ ମଧ୍ୟରେ ବୁମ୍ରା ଭାରତ ପାଇଁ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି । ଯାହା ଫଳରେ ସେ ଭାରତୀୟ ଦଳର ମୁଖ୍ୟ ବୋଲର ଭାବରେ ଦଳରେ ରହିଛନ୍ତି । ଏପରି ସ୍ଥିତିରେ ବିସିସିଆଇ ଜଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply