ପ୍ରଥମ  ଇନିଂସରେ ଟିମ୍ ଇଣ୍ଡିଆ ୧୮୫ ରନରେ ଅଲଆଉଟ୍‌

1 min read
BGT Trophy

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଜାରି ରହିଛି । ୨-୧ରେ ଚଳିତ ସିରିଜରେ ପଛୁଆ ରହିଥିବା ଭାରତ ଅନ୍ତିମ ଟେଷ୍ଟରେ ରୋହିତ ଶର୍ମାଙ୍କ ବିନା ମୌଦାନକୁ ଓହ୍ଲାଇଥିଲା । ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ଭାରତ ଆଜି ପ୍ରଥମ ଦିନରେ ଦୁର୍ବଳ ବ୍ୟାଟିଂର ପ୍ରମାଣ ଦେଇଛି । ପ୍ରଥମ ଇନିଂସରେ ଦଳ ୭୨.୨ ଓଭରରେ ମାତ୍ର ୧୮୫ ରନରେ ଅଲଆଉଟ୍ ହୋଇଛି । ଋଷଭ ପନ୍ତ ଦଳ ପକ୍ଷରୁ ସର୍ବାଧିକ ୪୦ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ୩୦ ଅଙ୍କ ଟପିପାରି ନଥିଲେ ।

ସିନିୟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମାତ୍ର ୧୭ ରନ୍ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ପୁଣି ଥରେ କୋହଲି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ ୧୦, କେଏଲ ରାହୁଲ ୪, ଶୁବମନ ଗିଲ ୨୦, ରବିନ୍ଦ୍ର ଜାଡ଼େଜା ୨୬ ରନ୍ ସଂଗ୍ରହ କରିଥିଲେ । ଦଳୀୟ ସ୍କୋର ୧୭ ହୋଇଥିବା ବେଳେ ଦଳ ରାହୁଲ ଓ ଯଶସ୍ବୀ ଦୁଇ ଓପନରଙ୍କୁ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କଙ୍ଗାରୁ ଟିମର ଶକ୍ତିଶାଳୀ ବୋଲିଂ ଆଟାକର ମୁକାବିଲା କରି ନପାରି ଭାରତ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସ୍କଲ ବୋଲାଣ୍ଡ ସର୍ବାଧିକ ୪ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିବାରେ ସଫଳ ହୋଇଥିଲେ ।