ଗୁରୁଦିବସରେ ୪୬ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୬ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି । ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଦେଶର ୪୬ ଜଣ ଶିକ୍ଷକ ପୁରସ୍କାର ପାଇଛନ୍ତି । ୪୬ଜଣଙ୍କ ମଧ୍ୟରେ ଓଡ଼ିଶାର ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ଅଛନ୍ତି । ନିମାପଡ଼ା କନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କ ନିଆରା ଢଙ୍ଗରେ ଶିକ୍ଷାଦାନ ଆଜି ତାଙ୍କୁ ପଲ୍ଲୀରୁ ନେଇ ଦିଲ୍ଲୀରେ ଝଟକାଇଛି ।

ପୁରସ୍କାର ପ୍ରଦାନ ଅବସରରେ ମହାମହିମ ରାଷ୍ଟ୍ରପତି ଦେଖାଇଛନ୍ତି ମହାନତା । ଉତ୍ତରାଖଣ୍ଡର ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ପୁରସ୍କାର ଦେବାକୁ ନିଜେ ମଞ୍ଚ ତଳକୁ ଚାଲିଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଶାବାଡ଼ି ଧରି ଉତ୍ତରାଖଣ୍ଡର ଶିକ୍ଷକ ପ୍ରଦୀପ ନେଗି ପୁରସ୍କାର ପାଇଁ ଯାଉଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତଳକୁ ଆସି ତାଙ୍କୁ ସମ୍ମାନିତ କଲେ ।