ଶିକ୍ଷକଙ୍କୁ ମିଳୁନି ଦରମା, ଛୁଟି ନେଇ ଲାଗୁଛନ୍ତି ମୂଲ

1 min read

ବଲାଙ୍ଗୀର : ଶିକ୍ଷକଙ୍କୁ ମିଳୁନି ଦରମା । ଛୁଟି ନେଇ ମୂଲ ଲାଗୁଛନ୍ତି ଶିକ୍ଷକ। ନୂଆ ସରକାର ଆସିବା ପରେ ଠିକ୍ ସମୟରେ ଦରମା ପାଇବାରୁ ବଞ୍ଚିତ ହେଉଛନ୍ତି ଶିକ୍ଷକ  । ୩ ମାସ ହେଲା ଦରମା ମିଳିନି ବୋଲି ଛୁଟି ନେଇ ଶ୍ରମିକ ସାଜିଛନ୍ତି ଜଣେ ଶିକ୍ଷକ । ହାତରେ ଚକଖଡି ବଦଳରେ ବିଲରେ କୋଦାଳ ଧରି ଦିନ ମଜୁରିଆ ଭାବେ କାମ କରୁଛନ୍ତି ବଲାଙ୍ଗୀର ପୁଇଁତଳା ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ  । ଗାଁର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ବିଲରେ ମୂଲ ଲାଗିଛନ୍ତି । ତାଙ୍କୁ ୩ଶହ ଟଙ୍କା ମଜୁରି ମଧ୍ଯ ମିଳିଛି  । ବଲାଙ୍ଗୀର ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ଏବେ ଦିନ ମଜୁରିଆ ପଲଟିଛନ୍ତି  । ଜନ୍ମରୁ ସେ ଶାରୀରିକ ଅକ୍ଷମ ମଧ୍ୟ ।

ଗତକାଲି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦିନ ମଜୁରିଆ କାମ କରିବାକୁ ଛୁଟି ମାଗିଥିଲେ  । ଆଜି ଛୁଟି ନେଇ ଶ୍ରମିକ ସାଜିଛନ୍ତି  । ମାଲିକ ପାଖରେ କାମ କରୁଛନ୍ତି  । ତିନି ମାସ ହେଲା ଦରମା ବନ୍ଦ ଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ଶେଷରେ ଶିକ୍ଷକତାରୁ ଛୁଟି ନେଇ ମୂଲ ଲାଗୁଛନ୍ତି ଶିକ୍ଷକ  । ଆଜି ସକାଳ ୯ଟାରୁ ଗାଁର ଚାଷୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ବିଲରେ କାମ କରି ୩ଶହ ଟଙ୍କା ରୋଜଗାର କରିଛନ୍ତି  । ଯେତେଦିନ ପର୍ଯ୍ୟନ୍ତ ଦରମା ନମିଳିବ ସେ ଛୁଟି ନେଇ ମୂଲ ଲାଗିବେ ବୋଲି କହିଛନ୍ତି  ।

ବିଇଓଙ୍କ ମନମୁଖୀ କାର୍ଯ୍ୟପାଇଁ ତିନି ମାସ ହେଲା ଦରମା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି  । ଗୁହାରି ପାଇଁ ଯାଇଥିଲେ କିନ୍ତୁ BEO ଲୋକନାଥ ସୁନା ଧମକଚମକ ଦେବା ସହ ଦରମା ମିଳିବନି ବୋଲି କହିବାରୁ ପରିବାର ଚଳାଇବା ପାଇଁ ଛୁଟି ନେଇ ଶ୍ରମିକ ହେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି  । ଦରମା ନମିଳିବାରୁ ପରିବାରର ଆର୍ଥିକ ସ୍ଥିତି ବିଗିଡିବା ଫଳରେ ସେ ଏପରି ନିଷ୍ପତ୍ତି ଗ୍ରହଣ କରିଥିବା କହିଛନ୍ତି  । ତେବେ ପୁଇଁତଳା ବ୍ଲକରେ ଏକ୍ସ କ୍ୟାଡର୍, ଗଣଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଶିକ୍ଷା ସହାୟକ ମାନେ ପାଖାପାଖି ୩ ରୁ ୫ ମାସ ହେବ ଦରମା ପାଇନାହାନ୍ତି ବୋଲି ଖୋଦ୍ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି  ।