ବିରୋଧୀ ଦଳରେ ଥିବା ବେଳେ କରୁଥିଲେ ହଲ୍ଲାବୋଲ, ସରକାରରେ ଥାଇ ଭୁଲିଗଲେ ବିଦ୍ୟାଦାତାଙ୍କ ଦାବି
1 min read![](https://nandighoshatv.com/wp-content/uploads/2025/02/PKG_TEACHER_STRIKE-1024x576.jpg)
ଭୁବନେଶ୍ବର : ଦୀର୍ଘଦିନ ଧରି ସରକାରୀ ଅବହେଳାର ଶିକାର। ପ୍ରତିଶୁତି ଦେଇ ପ୍ରତାରଣ କରିଛନ୍ତି ରାଜ୍ଯ ସରକାର। ପ୍ରତିବାଦରେ ଆସନ୍ତା ୧୪ରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦେଢଲକ୍ଷ ଶିକ୍ଷକ ଘେରିବେ ବିଧାନସଭା । ପୂର୍ବେ ଆନ୍ଦୋଳନ ଚାଲିଥିବାବେଳେ ବର୍ତ୍ତମାନର ମୁଖ୍ଯମନ୍ତ୍ରୀ ଆନ୍ଦୋଳନସ୍ଥଳୀକୁ ଯାଇ ଦାବି ସହ ସ୍ବର ମିଳାଇଥିଲେ। ମାତ୍ର ନୂଆ ସରକାର ଆସିବାର ୭ ମାସ ପରେ ବି ଶିକ୍ଷକଙ୍କ ଦାବି ହେଉନି ପୂରଣ। ଶିକ୍ଷକମାନଙ୍କର ମୂଳ ଦରମା ୪୨୦୦ ଗ୍ରେଡ୍ ପେ ଅନୁଯାୟୀ ୩୫,୪୦୦ ଟଙ୍କା ସ୍ଥିର କରି ଦରମା ପ୍ରଦାନ ଓ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ନିଯୁକ୍ତି ଉଚ୍ଛେଦ କରି ୬ ବର୍ଷ ବର୍ଷ ଚାକିରି ଗଣନା ସହ ସ୍ଵାସ୍ଥ୍ୟବୀମା ପ୍ରଦାନ ପାଇଁ ଦାବି କରାଯାଇଛି। ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ, ଷ୍ଟିମାଟିକ ଶିକ୍ଷଙ୍କୁ ନିୟମିତ କରିବା, ୮ ଓ ୬ ବର୍ଷର ଶିକ୍ଷା ସହାୟକ ବା କନିଷ୍ଠ ଶିକ୍ଷକଙ୍କ କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ଦେଇ ଗଣନା କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଓ ଶିକ୍ଷକଙ୍କୁ ପୁରୁଣା ପେନସନ ପ୍ରଦାନ କରିବା ଦାବି କରାଯାଇଛି। ଆସନ୍ତା ୧୬ରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସମନ୍ବୟ ସମିତି । ସେହିପରି ୧୭ରେ ଲେବୁଲ ଭି ଏ ପ୍ରାଥମକ ଶିକ୍ଷକ ସଂଘ ବି ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବେ ।
ସେପଟେ ସରକାରଙ୍କ ଉଦାସୀନତା ବିରୋଧରେ ଆସନ୍ତା ୧୧ରେ ସମୂହ ଛୁଟି ନେବ ୩୯୧ ବ୍ଲକ କ୍ରାଇଟେରିଆ କଲେଜ ଲେକଚର୍ସ ଆଣ୍ଡ ଏମ୍ପ୍ଲଇଜ ଆସୋସିଏସନ। ଏହି ଦିନକୁ ଦାବି ଦିବସ ଭାବେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳନ କରିବ ସଙ୍ଘ। ସଂଗଠନ ପକ୍ଷରୁ ୧୯୯୪ ଅନୁଦାନ ନୀତି ସମ୍ପ୍ରସାରଣ କରିବାକୁ ଦାବି କରାଯାଇଛି। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ କାଟେଗୋରୀ-୩ ପରିସରରେ ପ୍ରତି ବ୍ଲକର ଦୁଇଟି ଜୁନିଅର କଲେଜ ଓ ଗୋଟିଏ ଡିଗ୍ରୀ କଲେଜ, ପ୍ରତି ସବଡିଭିଜନରେ ଗୋଟିଏ ମହିଳା କଲେଜ ଏବଂ ସହରାଞ୍ଚଳର ପ୍ରତି ୫୦ ହଜାର ଜନସଂଖ୍ୟାରେ ଗୋଟିଏ ଜୁନିୟର କଲେଜ ଏବଂ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ବିରୋଧୀରେ ଥିବା ସମୟରେ ବିଜେପି ପାଇଁ ଶିକ୍ଷକ ରାଜନୈତିକ ଅସ୍ତ୍ର ଥିଲେ । ହେଲେ କ୍ଷମତାକୁ ଆସିବା ପରେ ଶିକ୍ଷକଙ୍କ ଦାବିକୁ ଅଣଦେଖା କରୁଛି ବିଜେପି।