ଢେଙ୍କାନାଳ ଜିଲ୍ଲା ବଳରାମପୁର ସ୍କୁଲରେ ଅଜବ ସ୍ଥିତି, ସ୍କୁଲକୁ ଶିକ୍ଷକ ଆସୁଥିଲେ ବି ଆସୁନାହାନ୍ତି ପିଲା
ଢେଙ୍କାନାଳ : ଟିକେ ଭଲକରି ନଜର ପକାନ୍ତୁ ଏହି ଭିଜୁଆଲ ଉପରେ। ଏଠି ଶ୍ରେଣୀ ଗୃହରେ ପାଠ ପଢାଇବା ପାଇଁ ଶିକ୍ଷୟିତ୍ରୀ ଅଛନ୍ତି। ହେଲେ ପାଠ ପଢିବାକୁ ନାହାନ୍ତି କେହି ଛାତ୍ରଛାତ୍ରୀ । ଶ୍ରେଣୀ ଗୃହ କଥା ତ ଛାଡନ୍ତୁ ଏଠି ତ ପୁରା ବିଦ୍ୟାଳୟ ଖାଁ ଖାଁ । ଏଇ ଦୃଶ୍ୟ ଦେଖିଲେ ଯେ କେହିବି ଭାବିବ ଇଏ କୋଉ ଛୁଟି ଦିନର ଦୃଶ୍ଯ । କିନ୍ତୁ ଏଠି କଥା କିଛି ଅଲଗା । ବିଗତ କିଛି ଦିନ ହେଲା ଏଠାରେ ଏଭଳି ସ୍ଥିତି ଲାଗିରହିଛି । ସ୍କୁଲକୁ ଶିକ୍ଷକ ଶିକ୍ଷୟିତ୍ରୀ ଆସୁଛନ୍ତି ହେଲେ ଆସୁ ନାହାନ୍ତି ଛାତ୍ରଛାତ୍ରୀ। ଇଏ ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପୁର ହାଇସ୍କୁଲର ଦୃଶ୍ୟ। ଯେଉଁଠି ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ୧୮୯ ଜଣ ଛାତ୍ରଛାତ୍ରୀ। ଯେଉଁଠି ବିଭିନ୍ନ ବିଷୟ ପାଇଁ ଦଶ ଜଣ ଶିକ୍ଷକ ରହିବା କଥା । ସେଠି ଅଛନ୍ତି ମାତ୍ର ୫ ଜଣ । ସ୍କୁଲରେ ୨୦୧୬ ମସିହାରୁ ହିନ୍ଦୀ ଶିକ୍ଷକ ଓ ଖେଳ ଶିକ୍ଷକ ନଥିବା ବେଳେ ୨୦୨୨ ମସିହାରୁ ସଂସ୍କୃତ ଶିକ୍ଷକ ନାହାନ୍ତି। ଫଳରେ ପାଠପଢା ଏକପ୍ରକାର ଠପ ହୋଇଯାଇଛି କହିଲେ ଚଳେ । ଯେଉଁଥିପାଇଁ ଆଖପାଖ ଅଞ୍ଚଳର ପିଲାଙ୍କୁ ସ୍କୁଲ ଛାଡ଼ୁ ନାହାଁନ୍ତି ଅଭିଭାବକ। …
ସ୍କୁଲରେ ଗଣିତ, ବିଜ୍ଞାନ, ହିନ୍ଦୀ, ସଂସ୍କୃତ ଭଳି ଜରୁରୀ ବିଷୟ ଗୁଡିକ ପାଇଁ ଶିକ୍ଷକ ନଥିବାରୁ ଦୀର୍ଘ ଦିନ ହେବ ପାଠ ପଢାରେ ବାଧା ଉପୁଜୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବି କରାଯାଇଛି । ହେଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ପରୀକ୍ଷା ମୁଣ୍ଡ ଉପରେ ଥିବାବେଳେ ଏପଟେ ସ୍କୁଲରେ ଶିକ୍ଷକ ମରୁଡି ପାଇଁ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ବାଧ୍ୟ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ନ ଆସି ଘରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ସେପଟେ ବିଦ୍ଯାଳୟରେ ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ । ବିଦ୍ଯାଳୟରେ ଆବଶ୍ଯକୀୟ ଶିକ୍ଷକ ନଥିବାରୁ ବିଦ୍ଯାଳୟକୁ ପିଲାଙ୍କୁ ଛାଡୁନାହାଁନ୍ତି ଅଭିଭାବକ । ଏନେଇ ଜିଲ୍ଲା ଶିକ୍ଷା ବିଭାଗ କି ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର ।