ପରିସ୍ଥିତି ବଦଳାଇ ଦେଇଛି ବୃତ୍ତି: ସଫେଇ ଗାଡ଼ି ଚଳାଉଛନ୍ତି ଶିକ୍ଷୟିତ୍ରୀ

ଦୀର୍ଘ ଦେଢ଼ବର୍ଷ ହେଲା କନ୍ଦାଇଲାଣି କରୋନା । କଟକଣା ଯୋଗୁଁ ଭାଙ୍ଗିଯାଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ଅନେକ ନିଜର ଜୀବିକା ହରାଇଥିବାବେଳେ ଅନେକ ବାଧ୍ୟ ହୋଇ ନିଜର ବୃତ୍ତି ବଦଳାଇଛନ୍ତି । ଏଭଳି ଦୁଃସ୍ଥିତିରୁ ବାଦ ପଡ଼ିନାହାନ୍ତି ସ୍ମୃତିରେଖା । ଆର୍ଥିକ ଅନଟନ କାରଣରୁ ଶିକ୍ଷକତା ଛାଡ଼ି ଏବେ ସଫେଇବାଲା ଭାବେ ରାଜଧାନୀରେ ଚଲାଉଛନ୍ତି ଅଳିଆ ଗାଡ଼ି ।

ସ୍ମୃତିରେଖା ବେହେରା । ପଥରବନ୍ଧ ବସ୍ତିର ବାସିନ୍ଦା । ଶିକ୍ଷାଗତ ଯୋଗ୍ୟତା ରାଜନୀତି ବିଜ୍ଞାନରେ ସମ୍ମାନ ସହ ସ୍ନାତକ । ସ୍ୱାମୀ ଜଣେ ଅଟୋ ଡ୍ରାଇଭର । ଦୁଇ ଛୁଆ, ଶାଶୁ ଓ ଶ୍ୱଶୁରଙ୍କୁ ନେଇ ପରିବାର । ପ୍ରଥମେ ସତ୍ୟ ସାଇ ଇଂରାଜୀ ମାଧ୍ୟମ ସ୍କୁଲ ଓ ପରେ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିଲେ । ହେଲେ କରୋନା ସାଜିଲା ଦାଉ । ସ୍କୁଲ ବନ୍ଦ ଯୋଗୁଁ ଚାକିରି ଯାଇଛି । ସେପଟେ ଲକଡାଉନ କଟକଣା ଯୋଗୁଁ ସ୍ୱାମୀଙ୍କ ଅଟୋ ବି ବନ୍ଦ ରହିଛି । ପରିବାର ଚଳିବା କଷ୍ଟ ହେବାରୁ ଶେଷରେ ବିଏମସିର ମୋ ସଫେଇବାଲା ଗାଡି ଚଲାଉଛନ୍ତି ସ୍ମୁତି । ସ୍ୱାଭାବିକ ଅବସ୍ଥା ଫେରିଲେ ପୁଣି ଶିକ୍ଷକତା କରିବେ ବୋଲି ଆଶା ରଖିଛନ୍ତି ।

ଶିକ୍ଷାକତାରୁ ସଫେଇବାଲା ହୋଇଥିଲେ ସୁଦ୍ଧା ନିଜ କର୍ତ୍ତବ୍ୟରେ ଅବହେଳା କରନ୍ତିନି ସ୍ମୃତିରେଖା । ସକାଳ 6 ଟାରୁ ମଧ୍ୟାହ୍ନ 2ଟା ପର୍ଯ୍ୟନ୍ତ ଗାଡି ଚଲାନ୍ତି । ପରିସ୍ଥିତିରେ ପଡି ବୃତ୍ତି ବଦଳାଇଛନ୍ତି ସତ ହେଲେ ସେ ଭିତରେ ଲୋକଙ୍କୁ ସଚେତନ କରିବାକୁ ଭୁଲିନାହାନ୍ତି । ତାଙ୍କର ଏହି ଉଦ୍ୟମକୁ ପ୍ରଶଂସା କରନ୍ତି ଅଞ୍ଚଳବାସୀ । ପରିସ୍ଥିତିରେ ସ୍ମୃତିରେଖାଙ୍କୁ ନିଜ ବୃତ୍ତି ବଦଳାଇବାକୁ ପଡିଛି ସତ, ହେଲେ ସେ ହାରିନାହାନ୍ତି । ଏବେ ସେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।

ଏଥିସହିତ ପଢ଼ନ୍ତୁ: ସାବଧାନ! ଅମାନିଆ ହୋଇ ଘରୁ ବାହାରିଲେ ବିଏମ୍‌ସି ନେବ ଏଭଳି କାର୍ଯ୍ୟାନୁଷ୍ଠାନ

Leave a Reply