ବେତ ଭାଙ୍ଗିଲା ଯାଏଁ ପିଟି ଚାଲିଥିଲେ ସାର୍, ଆଣ୍ଠେଇ କାନ୍ଦୁଥିଲେ ପିଲା- ଦେଖନ୍ତୁ ଭିଡିଓ

ଘଟଗାଁ: ଶିକ୍ଷକ ଯିଏ ଶିଖାନ୍ତି ନମ୍ରତା, ସହନଶୀଳତା । ଯାହାଠାରୁ ଦୁନିଆ ଶିଖେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବାର କୌଶଳ । ନିର୍ଦ୍ଦୟ ନୁହଁ ବରଂ ସମସ୍ତଙ୍କ ପ୍ରତି ଦୟାବାନ ହେବାକୁ ଶିକ୍ଷକ ବତାନ୍ତି ଓ ପ୍ରେରଣା ଦିଅନ୍ତି । ଗୁରୁଙ୍କ ଏଭଳି ଗାରିମାର ବହୁ ନଜିର୍ ମଧ୍ୟ ରହିଛି । ହେଲେ, ଗୁରୁ ଯେ ଛାତ୍ରଛାତ୍ରୀଙ୍କ ପ୍ରତି ଏତେ ଅମଣିଷ ପାଲଟିଯିବେ ଯେ କେହି ଏହା ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । 

ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଇଛି ଦଣ୍ଡ । ସୀମା ଟପିଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଶିକ୍ଷକଙ୍କ ମାଡ଼ ଭିଡିଓ ଭାଇରାଲ ହୋଇଛି । ପିଟାଟାଙ୍ଗର ସ୍କୁଲର ଏ ଟିଙ୍ଗା ଶିକ୍ଷକ ଜଣକ ହେଉଛନ୍ତି ରତି ନାରାୟଣ ରାଉତ । ଭାଇରାଲ ଭିଡିଓ ଅଭିଯୋଗ ପ୍ରକାରେ ସାର୍ ପଚାରିଥିବା ପ୍ରଶ୍ନର ଉତ୍ତର ପିଲା ଦେଇପାରି ନଥିଲେ । ଆଉ ଏଥିରେ ରାଗିପାଚି ଲାଲ୍ ହୋଇଯାଇଥିଲେ ସାର୍ ।ଖରାବେଳେ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇବା ସହ ବେତ ଭାଙ୍ଗିବା ଯାଏଁ ମନ ଇଚ୍ଛା ପିଟିଥିଲେ ସାର୍ । ପିଲାଙ୍କ ଆଖିରୁ ଝରୁଥିଲା ଧାର ଧାର ଲୁହ । ହେଲେ ଛୁଆଙ୍କ ଲୁହରେ ତରଳି ନଥିଲା ନିର୍ଦ୍ଦୟ ସାରଙ୍କ ବେଦରଦି ହୃଦୟ । କିଛି ସମୟ ଧରି ଶିକ୍ଷକ ୧୦ରୁ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ବେତରେ ଏମିତି ମାଡ଼ ମାରି ଚାଲିଥିଲେ ।ଏବେ ସୋସିଆଲ୍ ମିଡିଆରେ ସାର୍, ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ତଦନ୍ତ କଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀ ।ସମାଜକୁ ଅହିଂସାର ପଥ ପ୍ରଦର୍ଶନ କରାଉଥିବା ଶିକ୍ଷକ ହିଂସ୍ର ହୋଇ ଉଠିଲେ ଛାତ୍ରଛାତ୍ରୀ ଆଉ କାହାଠୁ କଣ ଶିଖିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Leave a Reply