୧୪ ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ

1 min read

ନବରଙ୍ଗପୁର: ଦଣ୍ଡମୁକ୍ତ ଅଞ୍ଚଳରେ ଶିକ୍ଷାର୍ଥୀଙ୍କୁ ଦଣ୍ଡ । ବୋତଲରୁ ପାଣି ପିଇବାରୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ । କୋଡ଼ିଙ୍ଗା ଥାନା ଡଙ୍ଗରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ମାଡ଼ରେ ୧୪ ଜଣ ଛାତ୍ର ଆହତ ହୋଇଛନ୍ତି ।

ଅଭିଯୋଗ ପ୍ରକାରେ, ସୋମବାର ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିବା ଛାତ୍ରମାନେ ଖାଇ ସାରି ନିଜ ବାସନ ଧୋଉଥିଲେ । ଶୋଷ ହେବାରୁ ଶିକ୍ଷୟିତ୍ରୀଙ୍କ ବୋତଲରୁ ପାଣି ପିଇ ଦେଇଥିଲେ କିଛି ଛାତ୍ର । ଏତିକିରେ ରାଗିପାଚି ଲାଲ୍ ହୋଇ ଯାଇଥିଲେ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ । ଛାତ୍ରମାନଙ୍କୁ ଗାଳି ଗୁଳଜ କରିବା ସହ ବେତରେ ମାଡ଼ ମାରିଥିଲେ । ଏନେଇ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରମାନେ ସ୍କୁଲ ସଭାପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି  ।

ସେପଟେ, ଛାତ୍ରମାନଙ୍କ ଅଭିଯୋଗ ପରେ ଦୋଷ ସ୍ୱୀକାର କରିଛନ୍ତି ସମ୍ପୃକ୍ତ ଶିକ୍ଷୟିତ୍ରୀ । ମୋର ଭୁଲ୍ ହୋଇଥିବା କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ହାର ବଢ଼ାଇବା ପାଇଁ ସରକାର ଯୋଜନା କରୁଛନ୍ତି । ପିଲାଙ୍କୁ ମାଗଣାରେ ହଷ୍ଟେଲରେ ରଖି ଖାଇବା ପିଇବା ଦେଇ ପାଠ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ, ଏଭଳି କିଛି ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଆଚରଣ ଯୋଗୁଁ ପିଲା ପାଠ ଛାଡ଼ୁଛନ୍ତି । ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ସହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଭିଭାବକ ଦାବି କରିଛନ୍ତି । ')}

Leave a Reply