ପିଟି ପିଟି ପିଠି ଲାଲ୍ କରିଦେଇଥିଲେ ଦିଦି, ଥାନାରେ ଏତଲା ଦେଲେ ଛାତ୍ରୀର ବାପା

ଜଗତସିଂହପୁର : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିପାରିବେ ନାହିଁ ଶିକ୍ଷକ ଶିକ୍ଷୟତ୍ରୀ । ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି ସରକାର । କିନ୍ତୁ ଅନେକ ସ୍ଥାନରେ ପିଲାଙ୍କୁ ଶାସନ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାଡ଼ ମାରନ୍ତି ଏବଂ ଆକଟ କରନ୍ତି । କିନ୍ତୁ ଛୋଟ ଛୋଟ ପିଲା ତଥା କୋମଳମତି ଶିଶୁଙ୍କୁ ଆକଟ କରିବା ପରିବର୍ତ୍ତେ ପଶୁଙ୍କ ଭଳି ମାଡ଼ ମାରି ଜଗତସିଂହପୁର ଜିଲ୍ଲାର ଜଣେ ଶିକ୍ଷୟତ୍ରୀ ଗିରଫ ହୋଇଛନ୍ତି ।

ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀଙ୍କ ଗିରଫ ଘଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ ପ୍ରାଥମିକ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଲିନା ନନ୍ଦଙ୍କୁ ପୋଲିସ ଗିରଫ କରିଛି । ଗତକାଲି ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ବର୍ଷା ସ୍ୱାଇଁଙ୍କୁ ଶ୍ରେଣୀ ଗୃହରେ ଶିକ୍ଷୟତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ମାଡ଼ରେ ଛାତ୍ରୀଙ୍କ ମୁହଁ ଓ ପିଠିରେ ଗଭୀର ଆଘାତ ଲାଗିଥିଲା । ପିଟି ପିଟି ପିଠି ଲାଲ କରିଦେଇଥିଲେ ଦିଦି । ଏନେଇ ଛାତ୍ରୀଙ୍କ ବାପା କୁଜଙ୍ଗ ଥାନାରେ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ ଏତଲା ଦେଇଥିଲେ । ଅଭିଯୋଗ ପରେ କୁଜଙ୍ଗ ପୋଲିସ ଶିକ୍ଷୟତ୍ରୀ ଲୀନା ନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply