ବିବାଦୀୟ ବୟାନ ଯୋଗୁଁ ବିଦ୍ରୋହର ସମ୍ମୁଖୀନ ହେଲେଣି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଭୁବନେଶ୍ବର : ଗଣଶିକ୍ଷା ମନ୍ତ୍ରୀ ବନାମ ଶିକ୍ଷକ । ମାନସିକତାକୁ ନେଇ ମୁହାଁମୁହିଁ । ସରକାର ନା ଶିକ୍ଷକ କାହା ମାନସିକତାରେ ଆସିବ ପରିବର୍ତ୍ତନ ? ଦୋଷ ଲଦି ଖସିବାକୁ ଉଦ୍ୟମ କରୁଛନ୍ତି କି ସରକାର ? ଅଭିଭାବକ ବି ସରକାରଙ୍କ ଉପରେ ଖପ୍ପା । ରାଜ୍ୟସ୍ତରୀୟ ନବ ଭାରତ ସାକ୍ଷାତକାର କାର୍ଯ୍ୟକ୍ରମ ଅବସରରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ କର୍ମଶାଳାରେ ଶିକ୍ଷକଙ୍କୁ ନାଲି ଆଖି ଦେଖାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିଜ ଅଭିଜ୍ଞତାକୁ ବଖାଣି ଶିକ୍ଷକଙ୍କୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାରଣ ସ୍କୁଲ ଆଉ ସ୍କୁଲ ପରି ରହୁନି । ଅପ୍ରୀତିକର ପରିବେଶରେ ପାଠ ପଢୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ସ୍କୁଲ ପରିସରକୁ ଶିକ୍ଷା ଉପଯୋଗୀ ରଖିବାକୁ ଶିକ୍ଷକର ମାନସିକତାରେ ପରିବର୍ତ୍ତନ ଆସିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ । ହେଲେ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ଦିଗରେ କିଛି ବି କହି ନଥିଲେ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଗଣଶିକ୍ଷା ମନ୍ତ୍ରୀ କେଉଁ ମାନସିକତା କଥା କହୁଛନ୍ତି ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି । ନୂଆ ଅନୁଦାପ୍ରାପ୍ତ ୨୫୫୧ ସ୍କୁଲରେ ପେନସନ କି ଅବସରକାଳୀନ ସୁବିଧା ନାହିଁ । ୩୯ ସଂସ୍କୃତ ଟୋଲ, ୧୯୪ ହାଇସ୍କୁଲ ଅନୁଦାନ ପାଉ ନାହାନ୍ତି । ୧୫ଟି ମଦ୍ରାସାକୁ ବି ମିଳୁନି ଅନୁଦାନ । ୨୪ଶହ ପ୍ରଧାନ ଶିକ୍ଷକ ଓ ୫ହଜାରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି । ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟରେ ୧୭ଶହରୁ ଅଧିକ ଶିକ୍ଷକ ନାହାନ୍ତି । ସ୍କୁଲର କମ୍ପ୍ଯୁଟର କି ଭିତ୍ତିଭୂମି ନାହିଁ । ଅଭାବ ଓ ଦୁଶ୍ଚିନ୍ତାରେ ଥିବା ସତ୍ତ୍ବେ ଶିକ୍ଷକମାନେ ଶିକ୍ଷାଦାନରେ କେବେ ବି ଅବହେଳା କରି ନାହାନ୍ତି । ସରକାରଙ୍କୁ ଏକ ବର୍ଷ ବିତିଲାଣି । ସୁସ୍ଥ ବାତାବରଣ କଥା ଚିନ୍ତା କରି ପଦକ୍ଷେପ ନେବାକୁ ସରକାରଙ୍କୁ ପାଲଟା ଜବାବ ଦେଇଛି ଓଷ୍ଟା ।

ଶିକ୍ଷକମାନଙ୍କ ଉପରେ ଦୋଷ ଦେଇ ସରକାର ଖସିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । କେନ୍ଦ୍ରୀୟ ହାରରେ ଦରମା, ସ୍କିମାଟିକ ଉଚ୍ଛେଦ ପରି ଦାବି ପୂରଣ ହେଉନି । ସ୍କୁଲ ପରିବେଶ ସଫା କରିବାକୁ ପିଅନ ଓ ଅନ୍ୟ କର୍ମଚାରୀ ଅଛନ୍ତି କି ? ଯେତିକି ଆବଶ୍ୟକ, ସେତିକି ଶିକ୍ଷକ ବିଦ୍ୟାଳୟରେ ନାହାନ୍ତି । ଶିଶୁ ବାଟିକା ଖୋଲିଲେ ସରକାର । ହେଲେ ସେବିକା ନାହାନ୍ତି । ଗୋଟେ ପଟେ ଶ୍ରେଣୀ ବଢାଇଲେ ସରକାର, ହେଲେ ଶିକ୍ଷକ ସଂଖ୍ୟାରେ ବୃଦ୍ଧି ଘଟିଲା ନାହିଁ । ଯାହା ଶିକ୍ଷକମାନଙ୍କୁ ଚାପଗ୍ରସ୍ତ କରୁଛି । ବିଦ୍ୟାଳୟକୁ ଶିକ୍ଷା ଉପଯୋଗୀ କରିବା ସରକାର ଚାହୁଁ ନଥିବା ନେଇ ଅଭିଯୋଗକୁ ପ୍ରାଥମିକ ଶିକ୍ଷକମାନେ ଶାଣିତ କରିଛନ୍ତି । ସେହିପରି ଓଡ଼ିଶା ଅଭିଭାବକ ମହାସଂଘ ବି ରାଜ୍ୟ ସରକାର ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି । ସରକାର ଶିକ୍ଷାକୁ ଗୁରୁତ୍ବ ଦେଇପିଲା କେମିତି ପଢି ପାରିବେ, ସେ କଥା ଚିନ୍ତା କରନ୍ତୁ । ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ, ଶିକ୍ଷକ ଅଭାବ ରଖି କମ ଶିକ୍ଷକରେ ଅଧିକ ଶିକ୍ଷାଦାନର ଚାପ ପକାଇଲେ, ଶିକ୍ଷକମାନଙ୍କ ମାନସିକତାରେ ପରିବର୍ତ୍ତନ କେମିତି ଆସିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । କେତେବେଳେ ଦାବି ପାଇଁ ଆନ୍ଦୋଳନରେ ଶିକ୍ଷକ ମାତୁଛନ୍ତି ତ ଆଉ କେତେବେଳେ ଦାବି ପୂରଣ ନେଇ ଦିନ ଗଡ଼ାଇ ଚାଲିଛନ୍ତି ସରକାର । ହେଲେ ସକରାର ଓ ଶିକ୍ଷକଙ୍କ ବିବାଦରେ ବଳି ପଡ଼ୁଛି ଶିକ୍ଷାଦାନ ।